ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୬୯ତମ ପୋଲିସ ଡ୍ୟୁଟି ମିଟ୍ ୨୦୨୪ର ଉଦ୍ଯାପନୀ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ଅପରାହ୍ନରେ ଆଭାସି ମାଧ୍ୟମରେ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦ୍ଘାଟନ କରିଥିଲେ । ଡେଲାଙ୍ଗ ଥାନାର ଏହି ନୂତନ କାର୍ଯ୍ୟାଳୟ ଲୋକାର୍ପଣ ଉତ୍ସବରେ ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ଆରକ୍ଷୀ ଅଧିକାରୀ ବନୀତ ଅଗ୍ରୱାଲା, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପ୍ରାକ୍ତନ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏବଂ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପୁରୀ ସଦର ଏସ୍ଡିପିଓ ରବି ନାରାୟଣ ଭଞ୍ଜ ଅତିଥି ପରିଚୟ, ସ୍ୱାଗତ ଭାଷଣ ଦେବା ସହ ମଞ୍ଚ ସଂଚାଳନ କରିଥିଲେ । ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରାଯାଇଥିଲା । ସ୍ୱାଗତ ସଂଗୀତ ଏବଂ ବନ୍ଦେ ଉତ୍କଳ ଜନନୀ ଜ୍ଞାନ ଡେଲାଙ୍ଗ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିଲେ । ଶେଷରେ ଡେଲାଙ୍ଗ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ୍ ମାନେ ଉପସ୍ଥିତ ଥିଲେ । ଏଥିରେ ଡେଲାଙ୍ଗ ଥାନାର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।