ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆପକ୍ଷ ପାଳନର ୧୦ମ ଦିନରେ ଅବସରରେ ଗଞ୍ଜାମ ଜିଲ୍ଲା ସଂସ୍କୃତି ଭବନ ଠାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମର ଅୟୋଜନ କରାଯାଇ ପାରମ୍ପରିକ ଲୋକକଳା କଳାକାରମାନଙ୍କୁ ଏକତ୍ରିତ କରାଇ କୃତ୍ତି କଳାକାରମାନଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଏହି ଉପଲକ୍ଷେ ଏକ ସାଂସ୍କୃତିକ ଦଳଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ଗଞ୍ଜାମ ଜିଲ୍ଲପାଳ ଭି. କୀର୍ତ୍ତି ଭାସନ ଏହି ଲୋକକଳା ପରମ୍ପରା ସମ୍ପନ୍ନ ଶୋଭାଯାତ୍ରାକୁ ସ୍ୱାଗତ ସ୍ୱରୂପ ପତାକା ଦେଖାଇ ଗଞ୍ଜାମ ଜିଲ୍ଲପାଳ ଭି. କୀର୍ତ୍ତି ଭାସନ ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗଞ୍ଜାମର ସମୃଦ୍ଧ ଓ ପୁରାତନ ଲୋକ କଳା ଓ ଲୋକ ସଙ୍ଗୀତର ପ୍ରସାର ପ୍ରଚାର କରିବା ପୂର୍ବକ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ପହଞ୍ଚିଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଉପ-ଜିଲ୍ଲାପାଳ ପାର୍ଥସାରଥୀ ହାଁସଦା, ବିଡ଼ିଓ (ବେଗୁନିଆପଡା) ସୁନୀଲ ସାମନ୍ତରାୟ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତୀ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ-ସଭାପତି ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ଲୋକ କଳାକାର, ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ବେଗୁନିଆପଡା କଳା ସଂସ୍କୃତି ସଂଘର ଉପସଭାପତି ମହେଶ୍ୱର ବରାଡ଼ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଭବନରେ ଲୋକକଳା ଉପରେ ଆଲୋଚନା ଚକ୍ର ଓ ଜିଲ୍ଲାର ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଂଜାମର ଲୋକକଳା, ଲୋକ ସଂଗୀତ, ଲୋକସଂସ୍କୃତି ସର୍ବଜନବିଦିତ । ଏହା ଦ୍ୱାରା ଗଞ୍ଜାମ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି । ଏସବୁକୁ ବଞ୍ଚାଇବାକୁ ହେଲେ ଆମକୁ ଉତ୍ତରପିଢ଼ି ସୃଷ୍ଟି କରିବାକୁ ପଡିବ ବୋଲି ସେ କହିଥିଲେ । ସମ୍ବର୍ଦ୍ଧିତ କଳାକାରମାନେ ହେଲେ ରାମଲୀଳା ଶ୍ୟାମସୁନ୍ଦର ପାଣିଗ୍ରାହୀ, ପାଲାଗାୟକ ବାଳକୃଷ୍ଣ ନାୟକ, ଗାହଣା ସୁବାସ ଚନ୍ଦ୍ର ଚୌଧୁରୀ, କୃଷ୍ଣଲୀଳା ଜି. ହରିବନ୍ଧୁ, ପଶୁମୁଖା ବାଞ୍ଛାନିଧି ଜେନା, ସୂତାକଣ୍ଢେଇ ବୀଭତ୍ସ ସ୍ୱାଇଁ, ଦାସକାଠିଆ ରବିନାରାୟଣ ଶତପଥୀ, ଗୁରୁ ସୁଧାଂଶୁ ଶତପଥୀ, ପ୍ରହ୍ଲାଦ ନାଟକ ବୃନ୍ଦାବନ ଜେନା ଓ ଜନାର୍ଦ୍ଧନ ପ୍ରଧାନ, ଦାଶକାଟିଆ ବାଳକୃଷ୍ଣ ମିଶ୍ର, ଭାରତ ଲୀଳା ସୁରେନ୍ଦ୍ର ସାହୁ ପ୍ରମୁଖ କଳାକାରଙ୍କୁ ମଞ୍ଚରେ ସମ୍ମାନିତ ହୋଇଛନ୍ତି ।