ଷ୍ଟାର ନାଇଟ୍‌ ସହ ସମାପ୍ତ ହେଲା ବଲାଙ୍ଗିର ଲୋକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷ୍ଟାର ନାଇଟ୍‌ ସହ ଗତକାଲି ବିଳମ୍ବିତ ରାତିରେ ସମାପ୍ତ ହୋଇଛି ବଲାଙ୍ଗିର ଲୋକ ଉତ୍ସବ ୨୦୨୩ । ଗତ ୨୦ ତାରିଖରୁ ବଲାଙ୍ଗିର ଲୋକ ଉତ୍ସବ ସମିତି ପକ୍ଷରୁ ଦୀର୍ଘ ୫ ଦିନ ଧରି ଲୋକ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଶେଷ ଗତକାଲି ସନ୍ଧ୍ୟାରେ ଷ୍ଟାର ନାଇଟ୍‌ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପଙ୍କଜ ଜାଲ ଓ ଅସୀମା ପଣ୍ଡାଙ୍କ ଟିମ୍‌ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଛନ୍ତି । ବଲାଙ୍ଗିର ଲୋକ ଉତ୍ସବର ପ୍ରଥମ ଦିନରୁ ଚତୁର୍ଥ ଦିନ ପର୍ଯ୍ୟନ୍ତ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବଲାଙ୍ଗିରର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଭାଷା ତଥା ପର୍ଯ୍ୟଟନ ସ୍ଥଳୀକୁ ଆହୁରି ବଳିଷ୍ଠ ଭାବେ ଗଢି ତୋଳିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ମତ ରଖିଛନ୍ତି । ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ସମାପ୍ତ ହୋଇଛି ଲୋକ ଉତ୍ସବ । ଦୀର୍ଘ ୫ ଦିନ ଧରି ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ବଲାଙ୍ଗିରବାସୀ ଏହାକୁ ମନଭରି ଉପଭୋଗ କରିଛନ୍ତି । ପ୍ରଥମ ସନ୍ଧ୍ୟାରେ ଦର୍ଶକ ଗ୍ୟାଲେରୀ ଟିକେଟ ହାଲୁକା ଥିବା ବେଳେ ଦ୍ୱିତୀୟ ଦିନରୁ ଦର୍ଶକଙ୍କ ଭିଡ ଜୋରସୋର ଜମିଥିଲା ଓ ଶେଷ ସନ୍ଧ୍ୟାର ଷ୍ଟାର୍‌ ନାଇଟ୍‌ ପ୍ରୋଗ୍ରାମରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ଅସମ୍ଭାଳ ହୋଇପଡିଥିଲା । ଅନ୍ୟ ପକ୍ଷରେ ମଞ୍ଚ ପଛ ପଟର ହୋ-ହାଲ୍ଲା ମଞ୍ଚ ଶୃଙ୍ଖଳାକୁ ନଷ୍ଟ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.