- ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
- ପୂର୍ବରୁ ଥିଲା ୨୧୦ଟି ପଦବୀ, ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି
- ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି
- ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀ ସୃଷ୍ଟି
- ପ୍ରତି ୱାର୍ଡ ପାଇଁ ସ୍ବତନ୍ତ୍ର ୱାର୍ଡ ଅଫିସର
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ । ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ୱରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟାଦାର ସୁରକ୍ଷା ଦିଗରେ ଭୁବନେଶ୍ୱର ମହାନଗର ନିଗମର ଗୁରୁଦାୟିତ୍ୱ ରହିଛି ।
କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ୱ ନିୟମିତ ଭାବେ ବଢିଚାଲିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବି.ଏମ୍.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା ।
ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି ।
ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ୟ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ୟ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନ୍ଫୋର୍ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି ।
ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ୟ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି । ସେହିପରି ସହକାରୀ କାର୍ୟ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି ।
ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ କାର୍ୟ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ଅନ୍ତର୍ଭୁକ୍ତ ।
ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ୟ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି ।
ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି । ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା । ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା । ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି । ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି । ସାନିଟାରୀ ଇନ୍ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି । ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି ।