jayashree

ସିବିଆଇ ତଦନ୍ତ ଦାବୀ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ହତ୍ୟା ଘଟଣାରେ ବିଭିନ୍ନ କୋସଲବାଦୀ ଯୁବ ସଂଗଠନମାନଙ୍କ ତରଫରୁ ଗତକାଲି ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଘଟଣାର ଗୁରୁତ୍ୱ ଅନୁଭବ କରି ତୁରନ୍ତ ସଂପୃକ୍ତ ମନ୍ତ୍ରୀଙ୍କୁ ଅପସାରଣ କରିବା ସହ ମାମଲାର ଅନୁସନ୍ଧାନ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗାଁର ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ମାମଲା ସାରା ରାଜ୍ୟରେ ଚହଳ ପକାଇଛି । ସଂପୃୃକ୍ତ ଘଟଣାର ଅଭିଯୁକ୍ତ ପ୍ରଭାବଶାଳୀ ରାଜନେତାମାନଙ୍କ ଛତ୍ରଛାୟାରେ ରହି ତାଙ୍କର ଶିକ୍ଷାନୁଷ୍ଠାନରେ ଯେଉଁଭଳି ଯୌନ କେଳେଙ୍କେରୀ ଓ ଅସାଧୁ କାର୍ଯ୍ୟକଳାପ ଚଳାଇଥିଲା ତାହା ସମସ୍ତଙ୍କୁ ଚକିତ କରିଛି । ଆହୁରି ବିସ୍ମୟଯେ ଏହି ଘଟଣାରେ ରାଜ୍ୟ ସରକାରଙ୍କ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରତି ସର୍ବତ୍ର ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି ।

ଏଭଳିକି ମାନ୍ୟବର ଜାତୀୟ ମହିଳା କମିଶନ ସଂପୃକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଅପସାରଣ କରିବାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ଭୂମିକା ସଂପର୍କରେ ତଦନ୍ତ କରିବାକୁ ଓଡିଶାର ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇଥିବାରୁ ତଦନ୍ତର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଛଡା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ବିଭାଗ ଥିବାରୁ ଏକ ସ୍ୱଚ୍ଛ ତଦନ୍ତ ପାଇଁ ଘଟଣାକୁ ସି.ବି.ଆଇ.କୁ ହସ୍ତାନ୍ତର କରାଯିବା ନିହାତି ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଥିବା ମନ୍ତ୍ରୀଙ୍କ ଏତାଦୃଶ ଭୂମିକା ଓ ଶାସକ ଦଳର ଜନୈକ ସହଯୋଗୀଙ୍କ ଏତାଦୃଶ କଳା କାରନାମା ଯୋଗୁଁ ଓଡିଶା ସରକାର, ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ମଧ୍ୟ ନିନ୍ଦିତ ହୋଇଛି । ପିପିଲି ଗଣ ଧର୍ଷଣର ନିଆଁର ଝାସ ଆଜି ପର୍ଯ୍ୟନ୍ତ ଅନୁଭୁତ ହେଉଥିବା ବେଳେ ମହାଲିଙ୍ଗ ଗାଁର ଘଟଣା ଶାସକ ଦଳ, ମନ୍ତ୍ରୀ ଓ ଅନ୍ୟମାନଙ୍କ ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଛଡା ଦୀର୍ଘ ୨୦ ବର୍ଷ ଧରି ଗୋଟିଏ ଦଳ ନିରଙ୍କୁଶ ଭାବରେ କ୍ଷମତା ଉପଭୋଗ କରୁଥିବାରୁ ଏହି ଦଳ ଓ ସରକାର ସହ ଅସାଧୁ ଓ ଅପରାଧୀକ ତତ୍ତ୍ୱ କିଭଳି ଭାବରେ ଯୋଡି ହୋଇଛନ୍ତି ଏହା ତାହାର ପ୍ରମାଣ ଦେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.