କୋସଲ ରାଜ୍ୟ ପ୍ରତି ୨ କୋଟି ଲୋକଙ୍କ ଭାବାବେଗ ରହିଛି, ସ୍ୱତନ୍ତ୍ର ରାଜ୍ୟ ଗଠନ ହେଉ : କୋସଲବାଦୀ ନେତା ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ନଭେମ୍ବର ୧୮ ତାରିଖରେ ଆହୁତ କୋସଳାଞ୍ଚଳ ବନ୍ଦ ଡାକରାକୁ ଅଦ୍ଭୁତପୂର୍ବ ସମର୍ଥନ ମିଲିଥିଲା । ଏହି ଅଞ୍ଚଳର ସବୁ ଜିଲ୍ଲାରେ ସ୍ୱତଃପୂର୍ତ୍ତ ବନ୍ଦ ପାଳନ କରି ସରକାରଙ୍କୁ ଲୋକେ ଏହି ଅଞ୍ଚଳର ଲୋକଙ୍କ ଭାବାବେଗ ଦେଖାଇଦେଲେ । କୋସଳାଞ୍ଚଳର ୨କୋଟି ଜନତା କହୁଥିବା କୋସଲୀ ଓ ସମ୍ବଲପୁରୀ ଭାଷାଭାଷି ଅଞ୍ଚଳର ଲୋକଙ୍କ ଭାବାବେଗ ସ୍ପଷ୍ଟ ହୋଇଛି । ତେଣୁ ଏହି ଭାବାବେଗକୁ ସମ୍ମାନ ଜଣାଇ ସରକାର ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ ପାଇଁ ପ୍ରସ୍ତାବ କରନ୍ତୁ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ଭବନଠାରେ କୋସଲବାଦୀ ନେତା ପ୍ରମୋଦ ମିଶ୍ର ଆହ୍ୱାନ କରିଛନ୍ତି । ବାସ୍ତବରେ ଗତ ୨୦୧୩ ମସିହାରୁ କୋସଲ ମହାବନ୍ଦ କରାଯାଇ ଆସୁଛି । ଚଳିତ ଥର ଏହି ମହାବନ୍ଦରେ ବହୁସଂଖ୍ୟାରେ ଯୁବକ ଓ ଯୁବ ସଂଗଠନ ଯୋଗଦାନ କରିଥିଲେ । ସାମ୍ବାଦିକ ସମ୍ବିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, କିଛି ରାଜନୈତିକ ବ୍ୟକ୍ତ ବିଷେଶ ମଧ୍ୟ ଏହି ବନ୍ଦକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମର୍ଥନ ଜଣାଇଥିଲେ । ଅଧିକାଂଶ ରାଜନୈତିକ ଦଳର କର୍ମୀ ଓ ସଂଗଠକ ଏହି ବନ୍ଦରେ ସାମିଲ ଥିଲେ । କିନ୍ତୁ ଦୁଃଖର କଥା ଯେ, ବିନା କାରଣରେ କୋସଳାଞ୍ଚଳର ବିଭିନ୍ନ ସ୍ଥାନରେ କୋସଲବାଦୀ ସଂଗଠକଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ମାମଲା ଦାୟର କରିଛି । ପୋଲିସର ଏଭଳି କାର୍ଯ୍ୟକଳାପକୁ ପ୍ରମୋଦ ମିଶ୍ର ତୀବ୍ରନିନ୍ଦା କରି ତୁରନ୍ତ ସେହି ମାମଲାମାନେ ପ୍ରାତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ କୋସଲ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି । ଯେଉଁ ରାଜନେତାମାନେ କୋସଳାଞ୍ଚଳର ଲୋକଙ୍କୁ ଭଲ ପାଆନ୍ତି ସେମାନେ ଆଗାମୀ ନିର୍ବାଚନରେ ସେମାନେ ତାଙ୍କର ନିର୍ବାଚନୀ ଇସ୍ତାହାରରେ କୋସଲଦାବୀକୁ ସ୍ଥାନୀତ କରନ୍ତୁ ବୋଲି କୁହାଯାଇଛି । କୋସଲ ଆନ୍ଦୋଳନରେ ବିଜେପି, ବିଜେଡି, କଂଗ୍ରେସ, ଆମ୍‌ ଆଦମୀ ପାର୍ଟି, ବିଏସ୍‌ପି, ବାମପନ୍ଥୀଦଳ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର କର୍ମୀମାନେ ସାମିଲ ଅଛନ୍ତି । ତେଣୁ କୋସଲ ଆନ୍ଦୋଳନରେ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ନେତା ରୋଟି ନସେକି ମିଳିତ ଭାବରେ ଦାବୀଗୁଡିକୁ ବିଧାୟକମାନେ ବିଧାନସଭା ଓ ସାଂସଦମାନେ ସଂସଦରେ କୋସଲରାଜ୍ୟ ଗଠନ ପାଇଁ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ ବୋଲି ପ୍ରମୋଦ ମିଶ୍ର ଆହ୍ୱାନ କରିଛନ୍ତି । ଉପକୂଳ ଅଞ୍ଚଳର ପ୍ରଶାସନ କୋସଳାଞ୍ଚଳକୁ ଶୋଷଣ କରିଛନ୍ତି ଏହା ସତ କିନ୍ତୁ କୋସଳାଞ୍ଚଳର କିଛ ରାଜନୈତିକ ପରିବାର ମଧ୍ୟ ଏହି ଅଞ୍ଚଳକୁ ଶୋଷଣ କରିଆସିଛନ୍ତି । ଏମାନେ ହଜାର ହଜାର କୋଟି ଟଙ୍କାର ମାଲିକ ସାଜିଥିବା ବେଳେ ଏହି ଅଞ୍ଚଳର ସାଧାରଣ ଜନତା ଅଭାବ ଅନାଟନ ଭିତରେ ଷଢୁଛନ୍ତି । ତେଣୁ କୋସଲ ରାଜ୍ୟ ଗଠନ ହେଲେ ଏହି ଅସାଧୁ ରାଜନୈତିକ ପରିବାରମାନଙ୍କୁ ମଧ୍ୟ ଆଗାମୀ ଦିନରେ ପ୍ରତ୍ୟାଖ୍ୟାନ କରିବାକୁ ପଡିବ ବୋଲି କହିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଛନ୍ତି ଏହା କୋସଳାଞ୍ଚଳର ଲୋକଙ୍କୁ ନ୍ୟାୟ ଦେଇ ପାରିନାହିଁ । ଏହା କେବଳ ଏକ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଯାଇଛି । ସେ ଆହୁରି କହିଛନ୍ତି ଯେ, କାଶ୍ମୀରର ବିକାଶ ପାଇଁ ଧାରା ୩୭୦ ଉଚ୍ଛେଦ କରାଯାଇପାରିଲା ଓ କାଶ୍ମୀରକୁ ବିଭାଜିତ କରି ଲାଦାଖକୁ ମର୍ଯ୍ୟାଦା ଦିଆଯାଇଛି । ସେହିପରି ଝରାଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ ଓ ତେଲେଙ୍ଗାନାକୁ ରାଜ୍ୟ ଗଠନ କରାଯାଇ ପାରିଲା ତା’ହେଲେ କୋସଳାଞ୍ଚଳକୁ କାହିଁକି ନୁହେଁ ବୋଲି ପ୍ରମୋଦ ମିଶ୍ର ପ୍ରଶ୍ନ କରିଛନ୍ତି । ତେଣୁ କୋସଳାଞ୍ଚଳର ୨କୋଟି ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ସମ୍ବିଧାନର ୩ ଅନୁଯାୟୀ ସ୍ୱତନ୍ତ୍ର କୋସଳରାଜ୍ୟ ଗଠନ କରାଯିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଶ୍ରୀ ମିଶ୍ର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀରେ ପ୍ରମୋଦ ମିଶ୍ରଙ୍କ ସହ ମନୋରଂଜନ ସାହୁ, ରବି ମିଶ୍ର, ରଣରାଜ ସିଂଦେଓ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.