jayashree

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଲା କିଶାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ରବି ଋତୁରେ ଚାଷୀଙ୍କ ଠାରୁ ସବୁ ଧାନ କ୍ରୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ରବି ଧାନକିଣାରେ ବ୍ୟପକ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୪୪୫୩ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ତାଙ୍କ ଠାରୁ ୧ଲକ୍ଷ ୬୧ହଜାର କ୍ୱିଣ୍ଟାଲ ଧାନ କିଣିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ୩୫୦୦ ଚାଷୀଙ୍କ ଠାରୁ ୧ଲକ୍ଷ ୪୫ହଜାର କ୍ୱିଣ୍ଟାଲ ଧାନ କିଣା ସରିଛି । ବ୍ୟବସ୍ଥିତ ଢଙ୍ଗରେ ଧାନକିଣା ଯାଉନଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଠିକଣା ସମୟରେ ବହୁ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚୁନାହିଁ । ଯେଉଁ ଚାଷୀ ଟୋକନ ପାଇଛନ୍ତି ସେମାନେ ସୀମିତ ସମୟ ମଧ୍ୟରେ ଧାନ ବିକ୍ରି କରି ନ ପାରିଲେ ସେମାନଙ୍କ ଠାରୁ ଧାନକିଣା ଯାଉନାହିଁ । ଅଖାବସ୍ତା, ଲୋଡିଂ ଅଲୋଡିଂର ଟଙ୍କା ଚାଷୀମାନେ ପାଉ ନ ଥିବା ବେଳେ ଅସାଧୁ ବ୍ୟବସାୟୀ ଓ ଅଧିକାରୀ ଏହି ଟଙ୍କାକୁ ହରିଲୁଟ କରୁଛନ୍ତି । ବିଭିନ୍ନ ପ୍ୟାକ୍ସରେ ୪ରୁ ୫ କେଜି ଧାନ କଟା ଯାଉଛି । ଯଦି ଯୋଗାଣ ଅଧିକାରୀଙ୍କ ତଥ୍ୟ ସତ୍ୟ ତେବେ ବଲାଙ୍ଗିର ଜିଲ୍ଲାରେ ଆଜି ମଧ୍ୟ ବହୁ ଚାଷୀ ଧାନ ବିକ୍ରି କରିବାରୁ କାହିଁକି ବଂଚିତ ଅଛନ୍ତି ବୋଲି ପ୍ରଶ୍ନ କରିଛି କିଶାନ କଂଗ୍ରେସ । ଚାଷୀଙ୍କ ପାଇଁ ଉଭୟ ସରକାର କୁମ୍ଭୀର କାନ୍ଦଣାକୁ ମଧ୍ୟ ନାପସନ୍ଦ କରିଛି କିଶାନ କଂଗ୍ରେସ । ବିଗତ ଦିନରେ ଚାଷୀଙ୍କ ଠାରୁ ସିଧା ସଳଖ ସରକାର ଧାନ କିଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଇଁନ୍ତଲା ବ୍ଲକର ଜଣେ ଚାଷୀଙ୍କୁ ନେଇ ମାନ୍ୟବର ହାଇକୋର୍ଟରେ ମକଦ୍ଦମା ଦାୟର କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏଫସିଆଇ ମାଧ୍ୟମରେ ଅନେକ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ସିଧାସଳଖ ଧାନ କ୍ରୟ କରାଗଲା । ତେବେ ବର୍ତ୍ତମାନ କାହିଁକି ଏବଂ କାହା ସ୍ୱାର୍ଥରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏହା ବନ୍ଦ ହେଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଫ୍‌ସିଆଇ କେନ୍ଦ୍ର ସରକାରଙ୍କ ଅଧିନରେ । କେନ୍ଦ୍ର ସରକାର ଚାହିଁଲେ ଏବେ ମଧ୍ୟ ଏଫସିଆଇ ମାଧ୍ୟମରେ ଧାନ କ୍ରୟ କରାଯାଇପାରିବ । କିନ୍ତୁ ବିଜେପି ଦଳ ଏଫସିଆଇକୁ ଧାନ କିଣିବା ପାଇଁ ମଞ୍ଜୁର ଦେବା ପରିବର୍ତ୍ତେ ଚାଷୀଙ୍କ ପାଇଁ ଧାରଣା, ରାସ୍ତାରୋକ କରି ଚାଷୀଙ୍କ କଟା ଘାରେ ଚୂନ ଦେବା ସଦୃଶ ବୋଲି ବ୍ୟଙ୍ଗ କରିଛି କିଶାନ କଂଗ୍ରେସ । ତେଣୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାକୁ ଭେଟି ଦାବୀ କରିଛନ୍ତି ଯେ ଅବଶିଷ୍ଟ ବଳକା ଧାନ ଆସନ୍ତା ତା.୨୮.୦୬.୨୦୨୧ ସୋମବାର ଦିନ ସୁଦ୍ଧା ଧାନ କ୍ରୟ କରାନଗଲେ ତା.୨୯.୦୬.୨୦୨୧ ମଙ୍ଗଳାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ସମସ୍ତ ଅବହେଳିତ ଚାଷୀମାନଙ୍କୁ ନେଇ ତୀବ୍ରତର ଆନ୍ଦୋଳନ କରାଯିବ । ଏହି ପ୍ରତିନିଧି ମଣ୍ଡଳିରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପ-ସଭାପତି ମନୀଷ ମିଶ୍ର, ଉମାକାନ୍ତ ସାହୁ, ବୁଲୁ ଦାନୀ, ଯୁବନେତା ପପୁ ପାତ୍ର, ପ୍ରଦ୍ୟୁମ୍ନ ସାହୁ, ଶ୍ରୀଧର ବାରିକ, ଗଗନ ନାଥ, ସରୋଜ ପ୍ରଧାନ, ଅଜୟ ବାଲି, କୈଳାଶ ମିଶ୍ର, ବରିଷ୍ଠ କଂଗ୍ରେସ ନେତା କିଶୋର ସିଂ ନିନା, ହରି ନନ୍ଦ, ଅଙ୍କିତ ସାହୁ, ବଳରାମ ନାଏକ, କୈଳାଶ ତାଣ୍ଡି, ମାଣିକ୍ୟ ପାତ୍ର, ଗଦନ ବେହେରା, ଜଗା ସାହୁ, ଜୁଲୁ ପଟ୍ଟନାୟକ, ପବିତ୍ର ବେହେରା, ସଂଜୟ ମିଶ୍ର, ଅଖଣ୍ଡ ସେଠ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.