ଦେହରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ, ତଦନ୍ତ ଅବ୍ୟାହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମର ଜଣେ ୨୮ ବର୍ଷର ଯୁବକ ଗୁରୁବାର ରାତିରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିବରଣୀରୁ ପ୍ରକାଶ ଯେ. ମୃତ ଅଶୋକ ଦଳବେହେରା (୨୮) ଓ ତାଙ୍କ ଭଉଣୀ ଲିଙ୍ଗାଗଡ ଗ୍ରାମରେ ରହୁଥିଲେ । ଗୁରୁବାର ରାତିରେ ତାଙ୍କ ଭଉଣୀ ପଛପଟ ଘରେ ରୋଷେଇ କରୁଥିବା ସମୟରେ ଅଶୋକ ଅନ୍ୟ ଏକ ଘରର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଘର ଭିତରେ ନିଆଁ ଜଳିବା ଜାଣି ଭଉଣୀ ସାହି ପଡିଶାଙ୍କୁ ଡାକିଥିଲେ । ଲୋକମାନେ ପହଞ୍ଚି ତୁରନ୍ତ ଜି.ଉଦୟଗିରି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ସେତେବେଳକୁ ନିଆଁରେ ପୋଡିହୋଇ ଅଶୋକଙ୍କ ଜୀବନ ଚାଲିଯାଇଥିଲା । ଅଶୋକ କାହିଁକି ଓ କ’ଣ ପାଇଁ ନିଜ ଦେହରେ ନିଆଁ ଲଗାଇଲେ ତାହା ତଦନ୍ତ ପରେ ହିଁ ଜଣା ପଡିବ । ଜି.ଉଦୟଗିରି ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏ ନେଇ ଜି.ଉଦୟଗିରି ଥାନାରେ ୦୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସଆଇ ବିଭୂତି ଭୂଷଣ ମୁଦୁଲୀଙ୍କୁ ତଦନ୍ତ ଦାୟି‌ତ୍ୱ ଦିଆଯାଇଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.