
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଖଟିଆରେ ବୁହାହୋଇ ଅଭିଯୋଗ କରିବାକୁ ଆସିଲେ ୯୫ ବର୍ଷୀୟା ବୃଦ୍ଧା । ଆଜି ତରଭା ବ୍ଲକ କାର୍ଯ୍ୟାଳୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବାବେଳେ ସିଂହାରୀ ଗ୍ରାମର ୯୫ ବର୍ଷୀୟା ବୃଦ୍ଧା ପିର ଚୂହାନ ଏକ ଅଟୋ ସାହାର୍ଯ୍ୟରେ ଖଟିଆରେ ଆସିଥିଲେ । ତାଙ୍କୁ ଦେଖି ମିତ୍ରବ୍ରତ ମିଶ୍ର, ଭୋଲା କୁମାର ବର୍ମା, କଲ୍ୟାଣ ନାଏକ ଓ ଚନ୍ଦ୍ର ଶେଖର ଭୁଏ ବୃଦ୍ଧା ମହିଳାଙ୍କୁ ଖଟିଆରେ ବୋହି ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲେ । ସରକାରଙ୍କ ନିୟମ ଆକାରରେ ତାଙ୍କୁ ୩୫୦୦ ଟଙ୍କା ମାସିକ ଭତ୍ତା ମିଳିବ କଥା । କିନ୍ତୁ ସରପଞ୍ଚଙ୍କ ଠାରୁ ବିଧାୟକ ଏବଂ ଇଓଙ୍କ ଠାରୁ ଜିଲ୍ଲାପାଳଙ୍କ ପାଖକୁ ବାରମ୍ବାର ଯାଇ ଦାବୀ କରିଥିଲେ ମଧ୍ୟ ଫଳ ଶୂନ । ଏଣୁ ଆଜି ସେ ଖଟିଆରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ । ତାଙ୍କୁ ଶୀଘ୍ର ମାସିକ ୩୫୦୦ଟଙ୍କା ପ୍ରଦାନ କରିବାକୁ ସ୍ୱେଚ୍ଛାସେବୀମାନେ ଦାବି କରିଥିବା ବେଳେ ଏହାର ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବା ନେଇ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।