ନୂଆଦିଲ୍ଲୀ, (ପିଆଇବି) :
● ‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଥିବା ଓଡ଼ିଶାର କେତେକ ଗଣମାଧ୍ୟମରେ ଏକ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶ ପାଇଛି। ତେବେ କେନ୍ଦ୍ର ମନ୍ତ୍ରୀ ପ୍ରକୃତରେ କହିଥିଲେ ଯେ, ଭାରତ ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଭର୍ଚୁଆଲ୍ ବେଞ୍ଚ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ ଥିବାରୁ ଓଡ଼ିଶା ହାଇକୋର୍ଟର ପୃଥକ ସ୍ଥାୟୀ ଖଣ୍ଡପୀଠର ଆବଶ୍ୟକତା ପଡ଼ିନାହିଁ । କାରଣ ଏଭଳି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଯଶବନ୍ତ ସିଂହ କମିଶନଙ୍କ ସୁପାରିସ ଅନୁଯାୟୀ ଭାରତ ସରକାର ଏପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତିକ୍ରମେ ରାଜ୍ୟ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ପ୍ରସ୍ତାବ ପାଇନାହାନ୍ତି ।
● ଏହି ପରିପ୍ରେକ୍ଷୀରେ ଏଠାରେ ସୂଚନା ଦିଆଯାଉଛି ଯେ, ହାଇକୋର୍ଟର ଖଣ୍ଡପୀଠ ଗଠନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କଠାରୁ ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ମିଳିବା ପରେ ହିଁ ଭାରତ ସରକାର ବିଚାର କରିପାରିବେ ଯେଉଁଥିରେ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହମତି ରହିବା ଆବଶ୍ୟକ । ଏହା ଯଶବନ୍ତ ସିଂ କମିଶନଙ୍କ ସୁପାରିସ ଏବଂ ୨୦୦୦ ମସିହାର ଡବ୍ଲୁପି(ସି) ନଂ.୩୭୯ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁରୂପ ଅଟେ ।
● ହାଇକୋର୍ଟର ମୁଖ୍ୟ ଆସନଠାରୁ ଦୂରରେ ଏକ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ପଡ଼ିବ ଏବଂ ଏହା ସହ ହାଇକୋର୍ଟ ଓ ବେଞ୍ଚର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପଡ଼ିବ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ଓ ଏହାର ବେଞ୍ଚର ଦୈନନ୍ଦିନ ପରିଚାଳନା କାର୍ଯ୍ୟକୁ ତଦାରଖ କରିବା ସହ ସମୟ ସମୟରେ ମୁଖ୍ୟ ଆସନରୁ ବିଚାରପତିଙ୍କୁ ଖଣ୍ଡପୀଠରେ ନିୟୋଜିତ କରିବାକୁ ପଡ଼ିବ ।
● ତେଣୁ ଉଭୟ ରାଜ୍ୟ ସରକାର ଓ ହାଇକୋର୍ଟ ଏହି ମାମଲାକୁ ସବୁ ଦିଗରୁ ବିଚାର କରି ସହମତିରେ ପହଞ୍ଚିବା ଜରୁରୀ ।
● ୨୦୧୮ ସେପ୍ଟେମ୍ବର ୫ ଓ ୨୦୧୯ ଜାନୁଆରୀ ୧୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ।
● ୨୦୧୯ ଜାନୁଆରୀ ୧୨ତାରିଖରେ ତତ୍କାଳୀନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହାଇକୋର୍ଟଙ୍କ ମତାମତ, ବେଞ୍ଚ ପାଇଁ ସ୍ଥାନ, ବିଚାରପତିଙ୍କ ପାଇଁ କୋଠା ଓ ବାସଭବନକୁ ନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ ।
● ତେବେ ହାଇକୋର୍ଟଙ୍କ ମତାମତ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଆବଶ୍ୟକତା ହାସଲ ପାଇଁ ରାଜ୍ୟ ସରକାର କୌଣସି ପ୍ରୟାସ କରିନଥିଲେ ।
● ଗୁରୁବାର, ୨୦.୦୭.୨୦୨୩ ଶ୍ରୀ ସସ୍ମିତ ପାତ୍ର ଉଠାଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା ୧୧୪ର ଜବାବରେ ମୁଁ ଉତ୍ତର ଦେଇସାରିଛି ଯେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ନାହିଁ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି ଏବଂ ରାଜ୍ୟପାଳଙ୍କ ସହମତିକ୍ରମେ ଏଭଳି ପ୍ରସ୍ତାବ ଆଣିବାକୁ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏହା ମିଳିନାହିଁ ।
● ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଆଗ୍ରହ ନାହିଁ ବୋଲି ଏହା ସ୍ପଷ୍ଟ କରୁଛି ।
● ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରକ୍ରିୟାରେ ସମୟ ଲାଗୁଥିବା ବେଳେ ଭାରତ ସରକାରଙ୍କ ଇ-କୋର୍ଟ ପ୍ରୋଜେକ୍ଟ ଅଧୀନରେ ସ୍ଥାପିତ ହାଇକୋର୍ଟର ଭର୍ଚୁଆଲ୍ ସେଣ୍ଟରଗୁଡ଼ିକ ଇ-ଫାଇଲିଂ, ଇ-ପେମେଣ୍ଟ୍ ଏବଂ ଭର୍ଚୁଆଲ୍/ଭିଡିଓ ଶୁଣାଣି କରି ସମସ୍ତ ହିତାଧିକାରୀ ଅର୍ଥାତ୍ ଆବେଦନକାରୀ ଓ ଓକିଲମାନଙ୍କୁ ହାଇକୋର୍ଟରେ ସିଧାସଳଖ ପ୍ରବେଶ ସୁବିଧା ଯୋଗାଇ ଦେଉଛି । ଓଡ଼ିଶା ହାଇକୋର୍ଟ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୩୦ଟି ଭର୍ଚୁଆଲ ସେଣ୍ଟର ଚଳାଉଛନ୍ତି । ଭର୍ଚୁଆଲ ସେଣ୍ଟରଗୁଡିକ ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଭର୍ଚୁଆଲ ଉପସ୍ଥିତିର ସୁବିଧା ଯୋଗାଇ ଦେଉଛନ୍ତି । ଏସବୁ ସୁବିଧା ଯୋଗୁଁ ଓଡ଼ିଶାର ନାଗରିକମାନଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାର ଆବଶ୍ୟକତା ନଥାଇ ଅଧିକ ସହଜରେ ନ୍ୟାୟ ମିଳୁଛି ।
● ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇବା ପରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ଉପରେ ଭାରତ ସରକାର ନିଶ୍ଚିତ ଭାବେ ବିଚାର କରିବେ ।
● ତେବେ ନବୀନ ପଟ୍ଟନାୟକ ସରକାର ପଶ୍ଚିମ ଓଡ଼ିଶା ପାଇଁ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି ଏବଂ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ବାଧକ ସାଜିଛନ୍ତି ।
● ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାୟିତ୍ୱରୁ ଓଡ଼ିଶା ସରକାର ପଛଘୁଞ୍ଚା ଦେଉଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ସମ୍ଭାବ୍ୟତା ଅଧ୍ୟୟନ ପାଇଁ ରାଜ୍ୟ ସରକାର ସିଆର୍ ପାଲ୍ କମିଶନ ଗଠନ କରିଥିଲେ । ୨୦୧୪ ମାର୍ଚ୍ଚ ୩୧ତାରିଖରେ କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସିଆର ପାଲ କମିଶନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ନ ହେବା ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାର ପ୍ରକୃତରେ କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ?