ବଲାଙ୍ଗିର, (କେପିଏନ୍ଏସ୍) : ଗତ ୧୩ ତାରିଖ ଦିନ ବଲାଙ୍ଗିର ସହରରେ ପ୍ରଚଣ୍ଡ ବର୍ଷା ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ବିଧାୟକ ନରସିଂହ ମିଶ୍ର ପ୍ରାକୃତିକ ବିପର୍ଯ୍ୟୟ ସହ ବଲାଙ୍ଗିର ମ୍ୟୁନିସିପାଲିଟିର ଡ୍ରେନେଜ୍ ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଥିଲେ । ବିଧାୟକ ନରସିଂହଙ୍କ ଏଭଳି ଦୋଷାରୋପକୁ ଖଣ୍ଡନ କରିଛନ୍ତି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସେ କହିଛନ୍ତି ଯେ, ଯେଉଁଦିନ ବର୍ଷା ହେଲା ସେଦିନ ରାତିରେ ଆମ ପାଖକୁ ସୂଚନା ଆସିବା ପରେ ଆମେ ଠିକାଦାରପଡ଼ାର ସେହି ସ୍ଥାନକୁ ଯାଇଥିଲୁ । ସେଠାରେ ବ୍ରିଜରେ ଓଭର୍ଫ୍ଲୋ ପାଣି ଯାଉଥିଲା । ସେଠାରେ ଲୋକେ ବି କହୁଥିଲେ ଲକ୍ଷ୍ମୀ ଜୋର୍ କନ୍ଷ୍ଟ୍ରକ୍ସନ ଯୋଗୁଁ ଏଭଳି ଅବସ୍ଥା ଉପୁଜିଛି । ଏହା ସହ ବିଧାୟକଙ୍କ ଦ୍ୱାରା ପ୍ରସ୍ତୁତ ଲକ୍ଷ୍ମୀଯୋର୍ ଚେକ୍ ବ୍ରିଜ୍ ବି ସାମାନ୍ୟ ବର୍ଷାରେ ଭାଂଗି ଯାଇଥିବା ଯୋଗୁଁ ପରିସ୍ଥିତି ଆହୁରି ଭୟାବହ ହୋଇଛି । ତେବେ ସବୁବେଳେ ବିଧାୟକ ନିଜ ଦୋଷ ଲୁଚାଇବା ପାଇଁ ମ୍ୟୁନିସିପାଲିଟି ଉପରେ ଦୋଷ ଲଦି ଦେଉଛନ୍ତି । ଏଭଳି ଆରୋପ ପ୍ରତ୍ୟାରୋପରେ ବଲାଙ୍ଗିରର ଉନ୍ନତି ସମ୍ଭବ ହୋଇପାରିବ ନାହିଁ । ମିଳିମିଶି କାମ କଲେ ବଲାଙ୍ଗିରର ବିକାଶ ସମ୍ଭବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ।
Next Post