ଖାଦ୍ୟନଳୀ ସମସ୍ୟା ଥିବା ଶିଶୁ କନ୍ୟାଙ୍କ ନିକଟରେ ପହଂଚିଲେ ଶିଶୁ ସୁରକ୍ଷା ପ୍ରତିନିଧି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟନଳୀ ସମସ୍ୟାରେ ଥିବା ଶିଶୁକନ୍ୟାଙ୍କ ନିକଟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ପହଂଚିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୨.୦୩.୨୦୨୩ରେ ଆଗଲପୁର ବ୍ଲକର ଭରସୁଜା ପଂଚାୟତ ଅନ୍ତର୍ଗତ ବିନ୍ଧାପାଲି ଗ୍ରାମର ଅନୁରାଧା ସାହୁ ଏକ କନ୍ୟା ସନ୍ତାନ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ କରିଥିଲେ । ଜନ୍ମପରେ ଶିଶୁ କନ୍ୟାଙ୍କର ସମସ୍ତ ଶାରିରୀକ ଅବସ୍ଥା ଭଲ ଥିବା ସତ୍ତ୍ୱେ ସେ କ୍ଷୀର/ଦୁଗ୍ଧ ଖାଦ୍ୟ ଗ୍ରହଣ କରି ନ ପାରିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁ କନ୍ୟାଟିକୁ ତାଙ୍କର ବାପା ସରୋଜ ସାହୁ ପ୍ରଥମେ ବୁର୍ଲା ଓ ସେଠାରୁ ଉଚ୍ଚତର ଚିକିତ୍ସା ନିମନ୍ତେ କଟକସ୍ଥିତ ଶିଶୁ ଭବନକୁ ନେଇ ଯାଇ ୨୩/୦୩/୨୩ ଦିନ ୱାର୍ଡରେ ଭର୍ତ୍ତି କରିଥିଲେ । ଶିଶୁ ଭବନରେ ଭର୍ତ୍ତି ପରେ ପ୍ରଫେସର ପି.କେ ଜେନା ଶିଶୁଙ୍କର ଖାଦ୍ୟନଳୀ ସଂପୂର୍ଣ୍ଣ ନ ଥିବା ଜାଣି ୨୭.୦୩.୨୦୨୩ ଦିନ ଶିଶୁଙ୍କର ପାକସ୍ଥଳିକୁ ଅସ୍ତ୍ରୋପଚାର ଦ୍ୱାରା ଏକ ଖାଦ୍ୟନଳୀ ଖଞ୍ଜି ଦେଇ ତଥା ବେକତଳେ ଶୂସନ ନଳି ଶେଷ ପରେ ଏକ ଛିଦ୍ର କରି ଶିଶୂଙ୍କର କ୍ଷୀର ପିଇବା ପାଇଁ ସାମୟିକ ବ୍ୟବସ୍ଥା କରି ତା.୩୧.୦୩.୨୦୨୩ ଦିନ ଶିଶୁ ଭବନରୁ ଡିସଚାର୍ଜ କରିଦେଇଥିଲେ । ଶିଶୁ କନ୍ୟାକୁ ବର୍ତ୍ତମାନ ପାଖାପାଖି ୯ ମାସ ହେଉଥିବା ବେଳେ ମଜୁରୀ ଲାଗି ପରିବାର ଚଳାଉଥିବା ସରୋଜ ସାହୁ ନିୟମିତ କାମ କରିବା ସମ୍ଭବପର ହେଉନଥିବା ବେଳେ, ମା’ କ୍ଷୀର ହେଉ ନ ଥିବାରୁ ଡବାକ୍ଷୀର କିଣିବା, ପେଟ ଉପର ନଳୀରେ ଦୈନିକ ବଦଳାଇବାକୁ ପଡୁଥିବା ମାଇକ୍ରୋପୋର୍ କିଣିବା, ମଝିରେ ମଝିରେ ସାମୟିକ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଶିଶୁ କନ୍ୟାଙ୍କୁ ଶିଶୁ ଭବନ, କଟକ ନେବା ଓ ଶିଶୁଙ୍କର ସାମୟିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବଲାଙ୍ଗିରର ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାଇବା କାମ ଖର୍ଚ୍ଚ ବହୁଳ ହୋଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସମ୍ଭାଳି ଆସିଛନ୍ତି । ପରିଦର୍ଶନ ସମୟରେ ଶିଶୁ ସୁରକ୍ଷା ପ୍ରତିନିଧିଙ୍କୁ ଶିଶୁ କନ୍ୟାଙ୍କ ମାତା ପିତା ସରକାର ଶିଶୁ କନ୍ୟାଙ୍କର ଆବଶ୍ୟକୀୟ ଖର୍ଚ୍ଚ ପୂରଣ କରିବାର ବ୍ୟବସ୍ଥା କରିବାକୁ କହିଥିଲେ ଓ ପ୍ରତ୍ୟୁତ୍ତରରେ ଡିସିପିୟୁର ସାମାଜିକ କର୍ମୀ ଅରୁଣ ଖୁଆସ ଶିଶୁ କନ୍ୟାଙ୍କ ପିତାମାତାଙ୍କୁ କହିଲେ ଯେ, ନିଜେ ଜିଲ୍ଲାପାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂଙ୍କୁ ଶିଶୁ ସୁରକ୍ଷା ୟୁନିଟର ପ୍ରତିନିଧିଙ୍କ ଉକ୍ତ ଶିଶୁ କନ୍ୟାଙ୍କୁ ସମସ୍ତ ସାମ୍ଭବ୍ୟ ସରକାରୀ ସହାୟତା ଦେବା ପାଇଁ ଶିଶୁ କନ୍ୟାଙ୍କ ଚିକିତ୍ସା ସମ୍ବନ୍ଧିତ ଓ ପାରିବାରିକ ପରିସ୍ଥିତିର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.