ଟୁପାଉଡାର ପଞ୍ଚାୟତରେ ଗ୍ରାମ୍ୟ ପୃଷ୍ଟିକର ଖାଦ୍ୟମେଳା ପ୍ରଦର୍ଶନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟୁପାଉଡ଼ାର ପଞ୍ଚାୟତ କାର୍ଯ୍ୟାଳୟଠାରେ ଗ୍ରାମ୍ୟ ପୁଷ୍ଟିକର ଖାଦ୍ୟମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଟ୍ରିକଲ୍ ଅପ୍ ଅନୁଷ୍ଠାନ ପ୍ରାୟୋଜିତ ଓ ନିଧି ଅନୁଷ୍ଠାନର ପ୍ରଚେଷ୍ଟାରେ ୬ଟି ଗ୍ରାମର ୮୦ ଜଣ ପ୍ରକଳ୍ପ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଏହି ମେଳାରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅନ୍ତର୍ଯ୍ୟାମୀ ବାଗ, ଗ୍ରାମସାଥୀ ବସନ୍ତ ବାଗ, ୫ଟି ଗ୍ରାମର ସିଆର୍‌ପି ଦିଦି, ୱାର୍ଡ ମେମ୍ବର ଜଳ ଲୁହା, ଅଙ୍ଗନୱାଡ଼ି କର୍ମୀ ବିମ୍ବାଧାରି ମହାନନ୍ଦ ଓ ଆଶାକର୍ମୀ ସାନ୍ତରା ଦୀପ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ । ନିଧି ଅନୁଷ୍ଠାନର ବ୍ଲକ ସଂଯୋଜକ ନବକୁମାର ବିଶିଙ୍କ ସମେତ ମହେନ୍ଦ୍ର ରଣା, ସ୍ୱାଗତିକା ଦାସ, ହସମୁଖ ଶିକା, ବିକ୍ରମାଦିତ୍ୟ ରଣା, ବବି ତାଣ୍ଡି, ଯମୁନା ସାହୁଙ୍କ ସହିତ ୪ଜଣ କର୍ମକର୍ତ୍ତା ଏହି ମେଳାର ପରିଚାଳନା କରିଥିଲେ । ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ମହାନନ୍ଦ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ସରକାର ଜଣେ ମା’ଙ୍କ ଗର୍ଭ ରହିବା ଦିନଠାରୁ ଶିଶୁ ୬ବର୍ଷ ହେବା ପର୍ଯ୍ୟନ୍ତ ମା’ ଓ ଶିଶୁର ପୁଷ୍ଟିସାଧନ, ବିକାଶ ଓ ସ୍ୱାସ୍ଥ୍ୟରକ୍ଷା ଉପରେ କାର୍ଯ୍ୟ କରୁଛି । ଜଣେ ମା’ ଯଦି ପୃଷ୍ଟିକର ଖାଦ୍ୟ ଖାଏ ତାହେଲେ ସେ ଏକ ସୁସ୍ଥ ଶିଶୁ ତଥା ନାଗରିକଙ୍କୁ ଜନ୍ମ ଦେଇଥାଏ ବୋଲି ସେ ପ୍ରକାଶ କରିଥିଲେ । ସରପଞ୍ଚ ପ୍ରତିନିଧି ଶ୍ରୀ ବାଗ କହିଥିଲେ ଯେ ଜଙ୍କ୍‌ଫୁଡ୍‌ ଓ ବଜାରର କିଣା ଖାଦ୍ୟ ନ ଖାଇ ଆମ ଆଖପାଖରେ ଥିବା ପୁଷ୍ଟିକର ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇ ସୁସ୍ଥ ଜୀବନଯାପନ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ । ଅପପୁଷ୍ଟି ଦୂରୀକରଣ ଓ ଗ୍ରାମୀଣ ଗର୍ଭବତୀ ମହିଳାଙ୍କ ପୁଷ୍ଟିସାଧନ ତଥା ସଚେତନତା ଉପରେ ଅନ୍ୟ ଅତିଥିଗଣ ନିଜର ମତ ପ୍ରକାଶ କରିଥିଲେ । ପ୍ରଦର୍ଶନୀରେ ଉତ୍କୃଷ୍ଟ ୮ଟି ଗ୍ରାମ ପୁଷ୍ଟିକାରକ ୩୧୦ ଧରଣର ଖାଦ୍ୟ ପ୍ରସ୍ତୁତ କରିଥିଲେ । ସେଥି ମଧ୍ୟରୁ ମାଳିଶିରା ଗ୍ରାମ ଶେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ଆଗ୍ରହରେ ମେଳା ବୁଲି ଦେଖିଥିଲେ ଓ ଆନନ୍ଦ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିଥିବୃନ୍ଦ ପ୍ରଶଂସାକରି ନିଧି ଅନୁଷ୍ଠାନ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକା ଆଦର୍ଶ ଦେଖାଇଥିବା ଯୋଗୁ ଖୁସି ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.