jayashree

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା କଲେ ରାଜ୍ୟ ଖାଦ୍ୟ ଆୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନିଦିନିଆ ଗସ୍ତର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ । ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖାଦ୍ୟ ସାମଗ୍ରୀ ବିତରଣ, ମହିଳା ଏବଂ ଶିଶୁ କଲ୍ୟାଣ, ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗୁଡିକର ସମୀକ୍ଷା କରିବା ସହ ହିତାଧିକାରୀ କିପରି ନିଜର ହକରୁ ବଞ୍ଚିତ ନ ହେବେ ସେ ବିଷୟରେ ଅଧିକାରୀଙ୍କୁ ଯତ୍ନବାନ ହେବାକୁ କହିଥିଲେ । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ମିଳୁଥିବା ରାସନ କିପରି ପିଡିଏସ୍‌ ଗୁଡିକରେ ଆବଣ୍ଟିତ ହୋଇପାରିବ ଏବଂ ଆଧାର କାର୍ଡ ଜନିତ ଅସୁବିଧା ନହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ । ଗୋଟିଏ ଦେଶ ଗୋଟିଏ ରାସନ ଦ୍ଵାରା ଜଣେ ବ୍ୟକ୍ତି କିପରି ଲାଭାନ୍ଵିତ ହୋଇପାରିବ ତାର ପ୍ରଚାର କରାଇବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ସେହିପରି ଜିଲ୍ଲାର ସମସ୍ତ ୨୭୭୫ଟି ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆୟରନ ଟାବଲେଟ ବଣ୍ଟନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । କେନ୍ଦ୍ରରେ ବିଦ୍ୟୁତ ଓ ଜଳ ଅସୁବିଧାକୁ ନେଇ କୌଣସି ସମସ୍ୟା ଥିଲେ ଶୀଘ୍ର ସମାଧାନ କରିବାକୁ କହିଥିଲେ । ମମତା ଯୋଜନାରେ ମହିଳାଙ୍କୁ ଉଚିତ୍‌ ସମୟରେ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟାନ ଭୋଜନ ବାବଦରେ ୨୦୪୮ସ୍କୁଲରେ ୧୮୩୮୬୭ ଜଣଙ୍କୁ ମଧ୍ୟାନ ଭୋଜନ ଦିଆଯାଉଥିବା ବେଳେ ଖାଦ୍ୟର ମାନ ଏବଂ ଗୁଣବତ୍ତାକୁ ଧ୍ୟାନ ଦେବାକୁ କହିଥିଲେ । ଆଶ୍ରମ ସ୍କୁଲ ଗୁଡିକରେ ମଶାରୀ, ପାଇଖାନା ତଥା ପରିବେଶଗୁଡିକ ଉପରେ ଗୁରୁତ୍ଵ ଦେବାକୁ ନିର୍ଦେଶ ଦେଇଥିଲେ । ସେ ବୁଲିଥିବା ସମସ୍ତ ଜିଲ୍ଲା ମଧ୍ୟରେ ବଲାଙ୍ଗିରର ପ୍ରଦର୍ଶନ ଖୁବ ଭଲ ଏବଂ ଏହା ଜାରି ରଖିବାକୁ କହିଲେ । ବିଦ୍ୟାଳୟର ଭିତ୍ତିଭୂମିକୁ ସାମଗ୍ରିକ ଭାବରେ ଯୋଜନା ଏବଂ ବ୍ୟବହାର କରିବାର ଉପାୟ ବାଲା ମଡେଲର ଅଙ୍ଗନୱାଡି କରିବାକୁ ଜାଗା ସହିତ ପ୍ରସ୍ତାବ ଦେବାକୁ ପରିଷଦର ସଦସ୍ୟଙ୍କୁ କହିଥିଲେ । ବୈଠକରେ ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଡାକ୍ତର (ପରିବାର କଲ୍ୟାଣ) ସୁଧା ବାର୍ଲା, ମୁଖ୍ୟ ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ବ୍ଲକ ଉନ୍ନୟନ ଅଧିକାରୀ ଶରତ ସେଠୀ ତଥା ପଞ୍ଚାୟତିରାଜ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.