
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଞ୍ଚାୟତର ପଥରଚେପା ଠାରେ ଆଜି ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ପରିବେଶ ସଚେତନା କାର୍ଯ୍ୟକ୍ରମ କରାଯାଇଛି । ଗତକାଲି ପ୍ରଥମେ ଗନ୍ଧରେଲକୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇ ଗାଁରେ ବୈଠକ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା । ଆଜି ସକାଳୁ ଅଭିଯାନର ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପଥରଚେପାକୁ ଯାଇ ସେଠାରେ ଆମ ଗାଁ ଜଙ୍ଗଲର କମ୍ୟୁନିଟି ସେଂଟର ଠାରେ ବୈଠକ କରାଯାଇଥିଲା । ଏହି ସଚେତନତା ବୈଠକରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପଥରଚେପା ଗାଁର ୱାର୍ଡ ମେମ୍ବର ଭଗବତୀ ମାଝୀ, ଗାଁର ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଅଶ୍ୱିନୀ ବିଶ୍ୱାଳ, ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ସଭାପତି କୁଳମଣୀ ସାହୁ, ବରିଷ୍ଠ ସାମ୍ବାଦିକ ସୁଧୀର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ମହେନ୍ଦ୍ର ପଧାନ, ପ୍ରଶାନ୍ତ ମହାକୁର, ଫରେଷ୍ଟ ଗାର୍ଡ ଅଶୋକ ସେଠ ପ୍ରମୁଖଙ୍କ ସହିତ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ଜଙ୍ଗଲରେ କେହି ଯୋପରି ନିଆଁ ନଲଗାଇବେ, ସେନେଇ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । କବି ଅର୍ଜୁନ ସାହୁ ଏକ ସଚେତନତାଧର୍ମୀ କବିତା ଗାନ କରିଥିବା ବେଳେ ଯୁବ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ ସମସ୍ତଙ୍କୁ ଜଙ୍ଗଲରେ ନିଆଁ ନଲଗାଇବାକୁ ଶପଥ ପାଠ କରାଇଥିଲେ । ଶେଷରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଆବାହକ ସୁନୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।