ଜିଲ୍ଲାସ୍ତରୀୟ ଶିଶୁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଏକ ଜିଲ୍ଲାସ୍ତରୀୟ ଶିଶୁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମଜିକ ସହାୟତା କର୍ମଶାଳା ୟୁନିସେଫ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୁବନେଶ୍ୱର ସ୍ଥିତ ପିକକ ଏବଂ ରାଜେନ୍ଦ୍ର ଯୁବକ ସଂଘ ବଲାଙ୍ଗିରର ମିଳିତ ସହଯୋଗରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ଯୋଗଦେଇ ଦ୍ଵୀପ ପ୍ରଜ୍ୱଳନ କରିବା ସହିତ କର୍ମଶାଳାର ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି ଶିଶୁମାନଙ୍କର ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଶିଶୁର ଅଧିକାର ଏବଂ ଆଦ୍ଵିକା କାର୍ଯ୍ୟକ୍ରମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ପିକକର ପ୍ରଶିକ୍ଷକ ଶୀତଳ ପଟ୍ଟନାୟକ ଶିଶୁମାନଙ୍କ ମାନସିକ ଅବସାଦ, ବିଭିନ୍ନ ସମସ୍ୟା ଓ ଉତ୍କଣ୍ଠା ଇତ୍ୟାଦି ଉପରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । କିପରି ଶିଶୁମାନଙ୍କ ମାନସିକ ଚାପକୁ କମ୍ କରାଯାଇ ଆତ୍ମହତ୍ୟା, ବିଷାଦ ଓ ହିଂସା ମନୋଭାବକୁ ଦୂର କରାଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ । ଶେଷରେ ରାଜେନ୍ଦ୍ର ଯୁବକ ସଂଘର ସମ୍ପାଦକ ରାଜେନ୍ଦ୍ର ପାଣଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.