ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିକ୍ଷାନୀତି କାର୍ଯ୍ୟକ୍ରମ (ଏନ.ଇ.ପି.-୨୦୨୦) ସଂପର୍କିତ ବିଶେଷ ଦକ୍ଷତା ବୃଦ୍ଧି ଅବସରରେ ଏକ ଦିବସୀୟ ସ୍ୱତନ୍ତ୍ର କର୍ମଶାଳା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଡକ୍ଟର ଏପିଜେ ଅବଦୁଲ୍ କାଲାମ୍ ସମ୍ମିଳନୀ କକ୍ଷରେ ସୋମବାର ଆୟୋଜିତ ହୋଇଯାଇଛି । ଏହା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଏହି ଏକ ଦିବସୀୟ ସ୍ୱତନ୍ତ୍ର କର୍ମଶାଳା’ ଆୟୋଜିତ ହୋଇଥିବା ନେ଼ଇ ବିଭିନ୍ନ ମହଲରେ ଉଦ୍ୟକ୍ତାଙ୍କୁ ପ୍ରଶଂସା କରାଯାଇଥିବା କୁହାଯାଇଛି । ଏହି କର୍ମଶାଳାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ଗୀତାଞ୍ଜଳି ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ସଭାରେ କୁଳପତି ଡ଼ଃ. ଦାସ ଜାତୀୟ ଶିକ୍ଷାନୀତି ବିଷୟରେ ଆଲୋକପାତ କରିବା ସାଂଗକୁ ନୂତନ ଶିକ୍ଷା ପ୍ରଣାଳୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପ୍ରୟୋଜନୀୟତା ବିଷୟରେ ସଚେତନତା କରିଥିଲେ । ଏଥି ସହିତ କୌଶଳମୂଳକ ଶିକ୍ଷା, ବହୁଶାଖୀୟ ଅଧ୍ୟୟନ, ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ମିଶ୍ରଣ ଏବଂ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ତାତ୍ତ୍ୱିକ ଆଲୋଚନା କରିଥିଲେ । ଏହି ସଭାରେ ମହାବିଦ୍ୟାଳୟ ଉନ୍ନୟନ ପରିଷଦ, ବ୍ରହ୍ମପୁରର ନିର୍ଦ୍ଦେଶକ ଡ଼ଃ. ସିଦ୍ଧାର୍ଥ ଶଙ୍କର ପଣ୍ଡା ଯୋଗଦେଇ ମହାବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ବାତାବରଣର ଉନ୍ନତି ଦିଗରେ ସମସ୍ତଙ୍କୁ ଆହ୍ୱାନ ଜଣାଇବା ସହିତ, ଏଦିଗରେ ସଫଳତା ହାସଲ କରିଥିବା ଅଧ୍ୟାପକ ତଥା ଅଧ୍ୟକ୍ଷ ମାନଙ୍କୁ ସାଧୁବାଦ ସହ କୃତଜ୍ଞତା ଜଣାଇଥିଲେ । ଏହି ସଭାରେ ସ୍ନାତକୋତ୍ତର ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାଙ୍କ ନିମନ୍ତେ ବେଶ ଗରୁତ୍ତ୍ୱପୂର୍ଣ୍ଣ ଥିବାର ମତବ୍ୟକ୍ତ କରିଥିଲେ । ଏବଂ ଏହା ସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରସ୍ତୁତ ଜାତୀୟ ଶିକ୍ଷାନୀତି କେଉଁ ଭଳି ଭାବରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ତାହା ଆଲୋଚନା କରିଥିଲେ । ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼ଃ.ସିଦ୍ଧାର୍ଥ ଶଙ୍କର ପାଢୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମହାବିଦ୍ୟାଳୟ ମାନଙ୍କର କେତୋଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏଥିସହିତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ଉତ୍ତମ ସମନ୍ୱୟ କିପରି ପରବର୍ତ୍ତୀ ସମୟରେ ଶିକ୍ଷାବ୍ୟବସ୍ଥାକୁ ତ୍ୱରାନ୍ୱିତ କରିପାରିବ ସେ ବିଷୟରେ ନିଜର ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ଏହି ସଭାରେ ନିଜର ବକ୍ତବ୍ୟ ରଖି କହିଲେ ନୂତନ ଶିକ୍ଷାନୀତି କାର୍ଯ୍ୟକ୍ରମ (ଏନ.ଇ.ପି.-୨୦୨୦)ର ବ୍ୟବହାର ମାଧ୍ୟମରେ ଓଡିଶାରୁ ଆରମ୍ଭ କରି ଦେଶବ୍ୟାପୀ ଶିକ୍ଷାରେ ଗୁଣାତ୍ମକ ମାନପରିବର୍ତ୍ତନ ଆସିପାରିବ ବୋଲି ମତପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ଶିକ୍ଷାପ୍ରଣାଳୀରେ ପ୍ରାୟ ପ୍ରତ୍ୟେକ ବିଷୟରେ ନିଜର ଦକ୍ଷତା ବୃଦ୍ଧି କରିପାରିବେ ବୋଲି କୁହାଯାଇଛି । ଏହି ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ପ୍ରାୟ ୬୦ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ । ଏହି କର୍ମଶାଳାରେ ବିଭିନ୍ନ ମହାବିଦ୍ୟାଳୟର କୃତିତ୍ତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଡ. ଶିବାନୀ ଗନ୍ତାୟତ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧ୍ୟାପକ ଡ଼ଃ. ଲକ୍ଷ୍ମୀନାରାୟଣ ସାହୁ, ଡ଼ଃ. ପ୍ରଭାକର ପାଢୀ, ଡ଼ଃ. ନରେଶ ଚନ୍ଦ୍ର ରାଉତ, ଡ଼ଃ. ବିଷ୍ଣୁ ପ୍ରସାଦ କର, ଡ଼ଃ. ଅଜିତ ସେଠୀ, ଶ୍ରୀ ମାନସ ରଞ୍ଜନ ବିଶ୍ୱାଳ, ଡ଼ଃ. ପ୍ରଦ୍ୟୁମ୍ନ ମଢେଇ, ଅଧ୍ୟାପିକା ଡ଼ଃ. ଡାଏନା ପ୍ରଧାନ, ଡ଼ଃ. ମିଲିମିତା ପାଢୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।