ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ସମ୍ପୂର୍ଣ୍ଣ ଶ୍ରୀ ମିଶନ” ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ କର୍ମଶାଳା ଗୁରୁବାର ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଓଡିଶା ଜୀବିକା ମିଶନ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଗ୍ରାମୀଣ ଜୀବିକାକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ମିଶନ୍ର ଲକ୍ଷ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟମିତା, କୃଷି, ଗ୍ରାମୀଣ ଆୟ, ପୋଷଣ ସୁଧାର ଏବଂ ମହିଳା ସଶକ୍ତିକରଣକୁ ତ୍ୱରାନ୍ୱିତ କରାଯିବ । ଏହା ସହିତ ଜିଲ୍ଲାରେ ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଭାସନ ପ୍ରକାଶ କରିଥିଲେ । କର୍ମଶାଳାରେ ବିଭିନ୍ନ ଯୋଜନାମାନଙ୍କର ସଠିକ ସମନ୍ୱୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ବିଷୟରେ ଉପସ୍ଥାପନା କରାଯାଇଥିଲା, ଯାହା ମାଧ୍ୟମରେ ଦୁଗ୍ଧ ଓ ଛେଳି ପାଳନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆବଶ୍ୟକୀୟ ସବସିଡି ସୁବିଧା ପାଇପାରିବେ । ଉଦ୍ୟାନ କୃଷି ପକ୍ଷରୁ ସବୁଜ ପରିବା ଚାଷ, ଫଳ ଚାଷ, ଫ୍ଲୋରିକଲଚର ଏବଂ କ୍ଲଷ୍ଟର ଉନ୍ନୟନ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା । ଏହା ସହିତ ଜଳସେଚନ ସଂରଚନା ପାଇଁ ଆର୍ଥିକ ସହାୟତା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଇନପୁଟ୍ ସବସିଡି, ଉନ୍ନତ ବୀଜ ବିତରଣ ଓ ଫସଲ ବୃଦ୍ଧି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ସମସ୍ତ ଯୋଜନାର ସଠିକ ସମନ୍ୱୟ ମାଧ୍ୟମରେ ଗ୍ରାମୀଣ ଜୀବିକା ସୁଦୃଢ ହେବ, ଆୟର ବିକଳ୍ପ ସୃଷ୍ଟି ହେବ, ପୋଷଣ ସୁରକ୍ଷା ବୃଦ୍ଧି ପାଇବ ଏବଂ ଜୀବିକା ପାଇଁ ସ୍ଥାନାନ୍ତରଣ କମିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଏହି କର୍ମଶାଳାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।