
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ୱାଏସସିଓ ଲେହେର ଅନୁଷ୍ଠାନ ତରଫରୁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପଙ୍କ ଅଧ୍ୟକ୍ଷତାରେ କର୍ମଶାଳା ପରିଚାଳନା କରାଯାଇଥିଲା । ଏହି କର୍ମଶାଳାରେ ୱାଏସସିର ନିର୍ଦ୍ଦେଶକ ଉମେଶ ପୁରୋହିତ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ଶିଶୁମାନଙ୍କ ସୁରକ୍ଷା, ଯତ୍ନ କ୍ଷେତ୍ରରେ ସମସ୍ତ ସ୍ୱେଚ୍ଛାସେବୀ ଓ ସରକାରୀ ଅନୁଷ୍ଠାନମାନଙ୍କୁ ନେଇ ଏକ ସମନ୍ୱୟ ଓ ସଂୟୋଜନା ପାଇଁ ଉଦ୍ୟମ କରିବା ପାଇଁ ଅବଗତ କରାଇଥିଲେ । ଏହି ଅବସରରେ ଜିଲ୍ଲା ପୋଲିସର ଡିଏସ୍ପି ଗୁଣନିଧି ମଲ୍ଲିକ ଉପସ୍ଥିତ ରହି ଶିଶୁ ଚାଲାଣ ଏବଂ ଶିଶୁ ଓ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଉପରେ ଏକ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସ୍ତରର ଶ୍ରମ ବିଭାଗର ଏଡିଏଲ୍ଓ ବିନୋଦ ନାୟକ, କେଶବ ବେହେରା ଉପସ୍ଥିତ ରହି ଦେଶାନ୍ତର ଶିଶୁ ଶ୍ରମିକମାନଙ୍କର ସମସ୍ୟା ଉପରେ ବିଶଦ ଭାବରେ ଜଣାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ୍ କିଶୋର ନ୍ୟାୟ ଆଇନ୍ ଉପରେ ଅବଗତ କରିଥିଲେ । ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଅଣ ଆନୁଷ୍ଠାନିକ ଉପରେ ଥିବା ଶିଶୁଙ୍କ ଯତ୍ନ ପାଇଥିବା ବିଭିନ୍ନ ଯୋଜନା ଯଥା ସ୍ପନ୍ସର୍ସିପ୍, ଫୋଷ୍ଟର୍ କେୟାର, ଯଶୋଦା, ଗ୍ରୀନ ପାସେଜ ଉପରେ ଜଣାଇବା ସହ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଉପରେ ୫ % ଅନୁଦାନ ପଞ୍ଚାୟତ ଅନ୍ ଟାଏଡ଼ ପାଣ୍ଠି ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ଥିବାର ଜଣାଇଥିଲେ । ରେଲୱେର ଜିଆର୍ପି ପୋଲିସରୁ ହେମନ୍ତ ପ୍ରସାଦ ପଧାନ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ପଲ୍ଲୀ ଆଲୋକ ପାଠାଗାର, ଏଡ୍ଏଡ୍ଏକ୍ସନ, ୱାସିଡିଏର, ଗ୍ରାମ ମଙ୍ଗଳ ପାଠାଗାର, ଆଶ୍ରା, ପାର୍ବତିଗିରି ବାଳ ନିକେତନର ପ୍ରତିନିଧି ଏବଂ ଆକ୍ସନ ଏଡ୍ର ଘାସିରାମ ପଣ୍ଡା ଅନ୍ଲାଇନରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ୟୁଥ୍ ସର୍ଭିସ ସେଣ୍ଟରର ସଂଯୋଜିକା ଚନ୍ଦ୍ରକାନ୍ତି ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।