ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଚେଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ

  • “ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳମନ୍ତ୍ର”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଥିବା ଭୟ ଓ ଚାପକୁ ଦୂର କରିବା ସହ ସଫଳତାର ସଠିକ ଦିଗ ଦେଖାଇବା ପାଇଁ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ‘ପ୍ରଚେଷ୍ଟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗିର ସଦର ବ୍ଲକ ଓ ପୌର ପରିଷଦ ଅଧିନସ୍ଥ ସମସ୍ତ ହାଇସ୍କୁଲର ୭୮ଜଣ ମେଧାବୀ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପଟେଲ ପରିଶ୍ରମ ଓ ନିଷ୍ଠା ହେଉଛି ସଫଳତାର ମୂଳ ମନ୍ତ୍ର ବୋଲି କହିଥିଲେ । ନିୟମିତ ପୁନରାବୃତ୍ତି, ସମୟର ସଠିକ ବ୍ୟବହାର କଲେ ଶ୍ରେଷ୍ଠ ଫଳାଫଳ ଆସିବ ବୋଲି ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର କହିଥିଲେ । ସାଧନକର୍ମୀ ମାନେ ବିଭିନ୍ନ ବିଷୟର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଲେଖନୀ ଶୈଳୀ ଓ ମାର୍କ ଆଣିବାର କୌଶଳ, ମନୋବୈଜ୍ଞାନିକ ପରାମର୍ଶ ଓ ମଡେଲ ଟେଷ୍ଟ ଆୟୋଜନ କରିଥିଲେ । ଏହି ‘ପ୍ରଚେଷ୍ଟା’ କାର୍ଯ୍ୟକ୍ରମରେ ୨୦ ଜଣ ବିଷୟ ଭିତ୍ତିକ ସାଧନକର୍ମୀ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ରାଜ ପ୍ରସାଦ ପ୍ରଧାନ, କିଶୋର ହନୁମାନ, ସୁନୀଲ ବେହେରା, ସରୋଜ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.