ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୧୧/୦୧/୨୦୨୩ ଠାରୁ ତା.୧୭/୦୧/୨୦୨୩ରିଖ ସପ୍ତାହବ୍ୟାପି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୩ର ଅନ୍ତିମ ଦିବସରେ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ତରଫରୁ ପୂର୍ବାହ୍ନରେ କୋଶଳ ଉଚ୍ଚ ବିଦ୍ୟାଳୟର ୨୦୦ ଜଣ ଛାତ୍ରଛାତ୍ରୀ ସମାବେଶ ହୋଇଥିଲେ । ଉକ୍ତ ସଭାରେ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ପୋରାହିତ୍ୟରେ ସଡକ ସୁରକ୍ଷା ଉପରେ ଅନେକ ମୂଲ୍ୟବାନ ତଥ୍ୟ ଉପସ୍ଥାପନା କରିଥିଲେ । ଉକ୍ତ ସଭାରେ ‘ସମାଜ’ ର ସୁବର୍ଣ୍ଣପୁର ପ୍ରତିନିଧି ସ୍ୱାଧୀନ କୁମାର ମେହେର, ଗୁରୁଜୀ ସଞ୍ଜୟ କୁମାର ସାହୁ ଓ ବସ ମାଲିକ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ ଉପସ୍ଥିତ ଥିଲେ । ବିଶେଷ ହେଲମେଟ ପରିଧାନ କରି ଓ ସଠିକ ଭାବରେ ଟ୍ରାଫିକ ନିୟମ ପାଳନ କରି ସଡକ ଦୁର୍ଘଟଣାରେ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇବାରେ ସହାୟକ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ ।

ଏହାପରେ ସଚେତନତା ବାର୍ତ୍ତା ଓ ସଚେତନତା ରଥ ନେଇ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ସହର ପରିକ୍ରମା କରିଥିଲେ । ଉକ୍ତ ଶୋଭାଯାତ୍ରାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ମଧ୍ୟାହ୍ନରେ ସୋନପୁର ବସଷ୍ଟାଣ୍ଡରେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞଙ୍କୁ ନେଇ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୩୦ ଜଣ ଗାଡି ଚାଳକ ନିଜର ଚକ୍ଷୁ ପରୀକ୍ଷଣ କରାଇଥିଲେ । ଅପରାହ୍ନରେ ଡୁଙ୍ଗୁରିପାଲି ବ୍ଲକର ଟ୍ରକ୍‌ ଏବଂ ଟେକ୍ସି ସଂଘ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ଉପରେ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ଏଥିରେ ପ୍ରାୟ ୧୦୦ ଜଣ ଗାଡି ଚାଳକ ଅଂଶଗ୍ରହଣ କରି ସଡକ ସୁରକ୍ଷା ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଟ୍ରାକ ସଂଘର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.