ପଦ୍ମପୁର, (ନିରୋଜ କୁମାର ପାଣୀ) : କରଣ ସମାଜର ପୂଜ୍ୟ ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କର ପୂଜନୋତ୍ସବ ଭବ୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ପଦ୍ମପୁର ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଏହି ପୂଜନୋତ୍ସବ ଏବଂ ବାର୍ଷିକ ବୈଠକରେ ଅଞ୍ଚଳର ସମସ୍ତ କରଣ ସମାଜ ପରିବାରର ସଦସ୍ୟ ଯୋଗ ଦେଇଥିଲେ । ତିଥି ଅନୁଯାୟୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ପୂଜ୍ୟ ଆର୍ଯ୍ୟ ଦେବ ଚିତ୍ରଗୁପ୍ତଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ପ୍ରତିବର୍ଷ ମହାଆଡମ୍ବରରେ ସମାଜ ପକ୍ଷରୁ ପୂଜା ଅର୍ଚ୍ଚନା କରାଯାଏ । ସେହିପରି ଚଳିତ ବର୍ଷ ମଧ୍ୟ ସକାଳୁ ସମାଜର ସମସ୍ତ ସଦସ୍ୟ ଏକଜୁଟ ହୋଇ ପ୍ରଥମେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପ୍ରତିଛବି ଓ ଭଜନ ସହ ଘଣ୍ଟ ବାଦ୍ୟର ତାଳେ ତଳେ ନଗର ପରିକ୍ରମା କରି ପୁନଃ ଟାଉନ ହଲକୁ ପହଂଚି ସେଠାରେ ଆର୍ଯ୍ୟଦେବଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । କରଣ ସମାଜ ତରଫରୁ କର୍ତ୍ତା ଭାବରେ ମନୋଜ କୁମାର ମହାନ୍ତି ସହ ଧର୍ମିଣୀ କବିତା ମହାନ୍ତିଙ୍କ ସହ ଦାୟିତ୍ୱ ବହନ କରିଥିବା ବେଳେ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୁରୋହିତ୍ୱରେ ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ପରେ ସମାଜର ସମସ୍ତ ସଦସ୍ୟଙ୍କୁ ନେଇ ପ୍ରତିବର୍ଷ ପରି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମାଜର ବିଭିନ୍ନ କାର୍ଯ୍ୟକ୍ରମ ଓ ବିଷୟକୁ ନେଇ ସଭାରେ ଆଲୋଚନା ସହ ମୁଖ୍ୟତଃ କରଣ ସମାଜର ଇଷ୍ଟ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ଏକ ମନ୍ଦିର ଓ ସମାଜର ମଣ୍ଡପ ନିର୍ମାଣ ପାଇଁ ଚଳିତ ବର୍ଷ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ତେବେ ସମାଜର ସମସ୍ତ ସଦସ୍ୟ ମାନେ ଏହି ଶୁଭ କାର୍ଯ୍ୟ ପାଇଁ ନିଜ ନିଜ ତରଫରୁ ଦାନ ରାଶି ଘୋଷଣା କରିଥିବା ବେଳେ ଯଥାଶୀଘ୍ର ସମସ୍ତଙ୍କ ସହଯୋଗ ଏବଂ ସମସର୍ଥନରେ ଏହି କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ପାଇଁ କାର୍ଯ୍ୟକାରିଣୀ କମିଟିଙ୍କୁ ଆର୍ଯ୍ୟଦେବଙ୍କର ଆଶୀର୍ବାଦ ମନାସି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ପରେ ପ୍ରସାଦ ସେବନ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା । ଯାହାର ସମସ୍ତେ ଆନନ୍ଦ ନେଇଥିଲେ । ସମାଜର ସମସ୍ତ ସଦସ୍ୟଙ୍କ ସହଯୋଗରେ ଭବ୍ୟ ସମାରୋହରେ ଏହି ପୂଜନୋତ୍ସବ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।