ପାଇକମାଲରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୂଜା ପାଇଁ କଳସ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୂଜା ପାଇଁ କଳସ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଦୁର୍ଗାପୂଜାର ଏକ ଅନନ୍ୟ ପରମ୍ପରା ରହିଛି । ପାଇକମାଲ ଦୁର୍ଗାପୂଜାକୁ ତ୍ରିପୀଠ ପୂଜା ମଧ୍ୟ କୁହାଯାଇଥାଏ କାରଣ ପାଇକମାଲ ଦୁର୍ଗା ମନ୍ଦିର, ପାଇକମାଲ ଗୌନ୍ତିଆ ଘର ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ବିନ୍ଧ୍ୟବାସିନୀ ମନ୍ଦିର ଓତଃପ୍ରୋତ ଭାବେ ଜଡ଼ିତ । ଏହାସହ ପାଇକମାଲ ଦୁର୍ଗା ପୂଜା ହିନ୍ଦୁ, ମୁସଲିମ ମିଳିମିଶି ଏହି ସାର୍ବଜନୀନ ଦୁର୍ଗାପୂଜା ପାଳନ କରିଥାନ୍ତି । ପାଇକମାଲ ସ୍ଥିତ ଶିବ ମନ୍ଦିର ପାଖ ଝରଣାରେ ପୂଜା ପାଠ କରାଯାଇ ୧୦୮ କଳସରେ ପବିତ୍ର ପାଣି ଆଣି ଏକ ଶୋଭାଯାତ୍ରା ବାହାରି ଘଣ୍ଟଘଣ୍ଟା ବାଦ୍ୟ ବଜାଇ ସଂକିତ୍‌ର୍ତ୍ତନ୍ୟ ଦଳ ସହ ପାଇକମାଲ ପରିକ୍ରମା କରିବା ପରେ ପାଇକମାଲ ଦୁର୍ଗା ମନ୍ଦିର ଠାରେ କଳସ ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବରେ ସୁବାଷ ମେହେର ଓ ତାଙ୍କ ଧର୍ମପତ୍ନୀ ଶ୍ରୀୟା ମେହେର ଦାୟିତ୍ୱ ତୁଳାଉ ଥିବାବେଳେ ପଣ୍ଡିତ ଡ଼ିଗ୍ରୀଧର ଦେବତା ପୂଜାପାଠ, ହୋମଯଜ୍ଞ ଦାୟିତ୍ୱ ତୁଳାଉଛନ୍ତି । ଆଜି ଠାରୁ ଦୁର୍ଗା ମନ୍ଦିର ଠାରେ ପୂଜାପାଠ, ହୋମଯଜ୍ଞ ରୀତିନୀତି ଅନୁସାରେ ଆରମ୍ଭ ହୋଇ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ମହା ଆଡମ୍ବର ସହକାରେ ପାଳନ କରାଯିବ ବୋଲି ଦୁର୍ଗା ମନ୍ଦିର କମିଟିର ସଭାପତି ସୁଶାନ୍ତ ନାଗ, ଉପ ସଭାପତି ରାକେଶ ଅଗ୍ରୱାଲ, ସମ୍ପାଦକ ଆଶୁତୋଷ ସାହୁ, ସହ ସଂପାଦକ ଯୋଗେନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.