centurian jitm

କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏବଂ ସମିତି ସଭ୍ୟ ଓ ସରପଞ୍ଚ ମିଶି ୨୨ ଜଣ ଭୋଟର ଉପସ୍ଥିତ ରହି ମତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୨୧ଟି ଭୋଟ ଅନାସ୍ଥା ସପକ୍ଷରେ ରହିଥିବାବେଳେ ଗୋଟିଏ ଭୋଟ ନାକଚ ହୋଇଥିବା ଉପସ୍ଥିତ ଭୋଟର ମାନେ ପ୍ରକାଶ କରିଛନ୍ତି । ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ଏହି ଅନାସ୍ଥା ନିର୍ବାଚନ ପରିଚାଳନା କରିଥିଲେ । ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମନ ଚକମା ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ । କଲମପୁର ତହସିଲଦାର ସ୍ମରଣିକା ତୁଲ, ବିଡ଼ିଓ ବିଜୟ କୁମାର ମଣ୍ଡାଙ୍ଗି ମଧ୍ୟ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ମାସ ୧୦ ତାରିଖ ଦିନ କଲମପୁର ବ୍ଲକର ସମିତି ସଭ୍ୟ ଏବଂ ସରପଞ୍ଚମାନେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ମନମୁଖୀ କାର୍ୟ୍ୟରେ ଅସନ୍ତୁଷ୍ଟ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଆଜି ଅନାସ୍ଥା ଭୋଟ ସମୟରେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ମଧ୍ୟ ଉପସ୍ଥିତ ଥିଲେ । ମୋତି ବିହାରୀଙ୍କ ବିପକ୍ଷରେ ସମସ୍ତ ଭୋଟ ଯିବା ଗଣତି ସମୟରେ ଜଣାପଡିବା ପରେ ଅନାସ୍ଥା ସପକ୍ଷବାଦୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ ପୁଲିସ ଏବଂ ୫ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ଥାନା ଅଧିକାରୀ ନୀଳାମ୍ବର ଯାନୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.