jayashree

ବରିଷ୍ଠ କଳାକାର ସଂଘର ସ୍ୱତନ୍ତ୍ର ସଭା : ଜୀବନ ଜୀବିକା ନେଇ ସଂଗଠିତ ହେଲେ କଳାକାର ଗୋଷ୍ଠୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହୀତୈଷୀ ମହାମଞ୍ଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଗତକାଲି ଦିବା ଏଗାର ଟାରେ ବ୍ରହ୍ମପୁର ମହାନଗରର ଶୁଭାରାଓଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସରକାରଙ୍କ କୋଭିଡ୍ କଟକଣା ଅନୁସରଣ ଭିତ୍ତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମ୍ପ୍ରତିକ କରୋନା କାଳରେ କଳାକାର ସମାଜ ପ୍ରତି ଆସିଥିବା ଦୁଃଖ ଦୁର୍ଦ୍ଦଶାକୁ ସରକାରଙ୍କଠାରେ ଉପସ୍ଥାପନା କରିବା ନେଇ ବିଶଦ ଆଲୋଚନା ହୋଇଥିଲା ।

ସରକାରଙ୍କ ଅସହଯୋଗ ନୀତି ନେଇ ଗଞ୍ଜାମ ଜିଲ୍ଲା କଳାକାର ମଞ୍ଚ ପକ୍ଷରୁ କ୍ଷୁବ୍ଧ ଓ କ୍ଷୋଭ ପ୍ରକାଶ କରାଯାଇଛି । ପେଶାଦାର କଳାକାର ତଥା ସେମାନଙ୍କ ସହଯୋଗୀ ଚିତ୍ରାଳୟ ଓ ଶବ୍ଦାଲୋକ ସଂସ୍ଥା ଓ କଳା ମଞ୍ଚର ସହଯୋଗୀ କାରିଗର ଶ୍ରେଣୀ ଏବଂ ନାଟ୍ୟ-ଶ୍ରମଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, କଳାକାରଙ୍କ ଭତ୍ତା ବାରଶହରୁ ଅନ୍ୟୁନ ତିନି ହଜାର ଟଙ୍କାକୁ ବୃଦ୍ଧି କରିବା, ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନାକୁ ସଂସ୍କୃତି ବିଭାଗ କଳାକାର ଭତ୍ତାରେ ସାମିଲ କରାଇବା, କଳାକାରଙ୍କୁ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାବେ ମଞ୍ଚ ଫେରେଇଦେବା ଇତ୍ୟାଦି ଦାବୀ ନେଇ ଅଗଷ୍ଟ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସମ୍ମିଳିତ ହୋଇ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ସରକାର ଯଦି ପୂର୍ବ ଭଳି ଏଥର ମଧ୍ୟ ଅଣଦେଖା କରନ୍ତି ତେବେ ପରବର୍ତ୍ତୀ କାଳରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସମ୍ପାଦକ ସୁବାସଚନ୍ଦ୍ର ସାହୁ ତରଫରୁ ଆଗତ ଏହି ବୈଠକରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ, ମା’ କୁରେଈଶୁଣୀ ଲୋକନାଟ୍ୟ ନିର୍ଦ୍ଦେଶକ ସଂଘ, ମଞ୍ଚ କାରିଗର ସଂଘର ପ୍ରତିନିଧିମାନେ ଅଂଶ ଗ୍ରହଣ କରି କଳାକାର ସଂଘ ସହ ଏକମତ ହୋଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ସୁବାସଚନ୍ଦ୍ର ସାହୁ ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଦିଲ୍ଲୀପ ସାମନ୍ତରାୟ କରୋନା ପ୍ରଭାବରେ କ୍ଷତି ସହିଥିବା ସମ୍ପର୍କରେ ସାଂସ୍କୃତିକ ଜଗତର ମର୍ମସ୍ପର୍ଶୀ ବାସ୍ତବ ଚିତ୍ର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ କୋଷାଧ୍ୟକ୍ଷ ବଳଦେବ ସାହୁ ପରିଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.