
- ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ପୂର୍ଣ୍ଣ ସହଯୋଗ ପାଇଁ ଦେଲେ ଆଶ୍ୱାସନା
ଭୁବନେଶ୍ୱର, (ପିଆଇବି) : ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତି ମନ୍ତ୍ରୀ ଶ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଆଜି ଆଭାସୀ ମାଧ୍ୟମରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣିର ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ ଥର ପାଇଁ ସିଙ୍ଗାରେନି କୋଲିୟାରିଜ୍ କମ୍ପାନୀ ଲିମିଟେଡ୍ (ଏସସିସିଏଲ) ଅନ୍ୟ ଏକ ରାଜ୍ୟରେ ଖଣି ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏହା ସଂସ୍ଥା ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ କରିଛି । ଓଡ଼ିଶାରେ ନୟନୀ ଖଣି କାର୍ଯ୍ୟକ୍ଷମ ହେବା ପରେ ଏସସିସିଏଲର ବିଶ୍ୱସ୍ତରୀୟ ବିସ୍ତାର ପାଇଁ ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଏହା ସିଙ୍ଗାରେନି ଏବଂ ତେଲଙ୍ଗାନା ପାଇଁ ଖୁସିର ବିଷୟ । ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ଅନ୍ୟ ଜନପ୍ରତିନିଧିମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଗତବର୍ଷ ଜୁଲାଇ ମାସରେ ତାଙ୍କର ଓଡ଼ିଶା ଗସ୍ତ ବିଷୟରେ ସ୍ମରଣ କରି ସେ କହିଛନ୍ତି, ଅନୁଗୁଳ ଅଞ୍ଚଳର ବିକାଶ ସିଙ୍ଗାରେନି କମ୍ପାନୀ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ତେଲଙ୍ଗାନା ସରକାରଙ୍କ ଏକ ଉଦ୍ୟୋଗ ଭାବେ ସିଙ୍ଗାରେନି ସଂସ୍ଥା କେବଳ ବାଣିଜ୍ୟିକ ନୁହେଁ ବରଂ ସାମାଜିକ ଉତ୍ତରଦାୟିତ୍ୱ ସହ କାମ କରିବ । କମ୍ପାନୀ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ହାତକୁ ନିଆଯିବ । ଅନୁଗୁଳ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ସେ ନୟନୀ ନିକଟରେ ଗୋଟିଏ ୧୬୦୦ ମେଗାୱାଟ୍ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ବିଷୟରେ ଘୋଷଣା କରିଥିଲେ । ଜମି ଅଧିଗ୍ରହଣ ପାଇଁ ସେ ଓଡ଼ିଶା ସରକାରଙ୍କ ସହଯୋଗ କାମନା କରିଥିଲେ । ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟରେ ଏକ କୋଇଲା ଖଣି ଖନନ ଆରମ୍ଭ କରିବାକୁ ଯାଉଥିବାରୁ ସିଙ୍ଗାରେନି ଏହି ଖଣିକୁ ଏକ ଆଦର୍ଶ ଖଣି ରୂପେ ପ୍ରତିଷ୍ଠା କରିବ ବୋଲି ସେ ଜୋର ଦେଇ କହିଥିଲେ । ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ନୟନୀ କୋଇଲା ଖଣି ଠାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଖଣି ପାଇଁ ପୂର୍ଣ୍ଣ ସହଯୋଗ ନିମନ୍ତେ ଆଶ୍ୱାସନା ଦେଇଥିଲେ । ଅନୁଗୁଳର ସାମଗ୍ରିକ ବିକାଶ ପାଇଁ କମ୍ପାନୀ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ । ଏଡି ଅବସରରେ ତେଲଙ୍ଗାନା ସରକାର ଏବଂ ସିଙ୍ଗାରେନି କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।