ବଲାଙ୍ଗିର, (କେପିଏନ୍ଏସ୍) : ଆମେ କୌଣସି ଗାଁ ଗାଉଳିର କଥା କହୁନାହୁଁ, କହୁଛୁ ସହର ଭିତର କଥା । ସହର ଭିତରେ ଏମିତି କାଦୁଅ ପଚପଚ କଚା ରାସ୍ତା ଯେଉଁ ରାସ୍ତା ଉପରେ ନିର୍ଭର କରୁଛନ୍ତି ଶହ ଶହ ଲୋକ । ବଲାଙ୍ଗିର ସହର ୱାର୍ଡ ନଂ ୧ ଶାନ୍ତିପଡାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଶାନ୍ତିପଡା ଛକରୁ ସିଆର୍ପିଏଫ୍ କାର୍ଯ୍ୟାଳୟ ଆଡକୁ ଯାଇଥିବା ମୁଖ୍ୟରାସ୍ତାର ମୁନା ପରିଚ୍ଛାଙ୍କ ଘରପାଖରୁ ଯାଇଥିବା ଗଳି ରାସ୍ତାର ଅବସ୍ଥା ଅସମ୍ଭାଳ ହୋଇପଡିଛି । ଏହି ଗଳି ରାସ୍ତା ଶାନ୍ତିପଡାରୁ ଲାଲଟିକ୍ରାକୁ ସଂଯୋଗ କରୁଥିବା ବେଳେ ମୁଖ୍ୟରାସ୍ତା ଆଡୁ ଏହାର କିଛି ଅଂଶ କଂକ୍ରିଟ କାମ କରାଯାଇ ଅର୍ଦ୍ଧାଧିକ ଅଂଶ ଛାଡି ଦିଆଯାଇଛି । ଯାହା ଫଳରେ ମାଟି କାଦୁଅ ରାସ୍ତାରେ ପ୍ରତ୍ୟହ ଶହ ଶହ ଲୋକ ଯାତାୟାତ କରି ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏହି ରାସ୍ତା ଦେଇ ଯାଇଥିବା ପିଏଚ୍ଡି ପାଣି ପାଇପ ଫାଟି ଯାଇ ପିଚକାରୀ ମାରି ରାସ୍ତା ଉପରେ ଛୁଟୁଛି ପାଣି ଏଥିପ୍ରତି ମଧ୍ୟ ନିଘା ନାହିଁ ପ୍ରଶାସନର । ସବୁଠୁ ବଡକଥା ଯେ, ଏହି ରାସ୍ତା ଦେଇ ବର୍ଷା ସମୟରେ ପ୍ରବଳ ଜଳ ସ୍ରୋତ ଛୁଟୁଥିବା ବେଳେ ଲୋକଙ୍କ ଯିବା ଆସିବା କରିବା ବଡ ମୁସ୍କିଲ ହୋଇ ପଡିଛି । ଏବେ ଚାଲିଥିବା ଲଗାଣ ବର୍ଷାରେ ସ୍ଥିତି ସଙ୍ଗୀନ ହୋଇପଡିଥିବା ଜଣାପଡିଛି । ଏଥିପ୍ରତି ଦୃଷ୍ଟି ଦେଇ ମ୍ୟୁନିସିପାଲିଟି କତ୍ତୃପକ୍ଷ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।