oom

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର : ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ବ୍ରହ୍ମାଣ୍ଡପତି

jsmm

ପୁରୀ : ଆଜି ଶ୍ରୀଗୁଣ୍ଡିଚା ଯାତ୍ରା । ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତେ । ଯାତ୍ରା ପାଇଁ କାହାରିକୁ ତର ନାହିଁ । ବଡ଼ଦେଉଳରେ ବଡ଼ଠାକୁରଙ୍କ ଯାତ୍ରା ପ୍ରସ୍ତୁତିରେ ବ୍ୟସ୍ତ ସେବକ ଓ ପ୍ରଶାସକ । ବାହାରେ ଉତ୍କଣ୍ଠିତ ରଥ, ପଥ ଓ ଭକ୍ତ । ୫୮ ଦିନ ଧରି ରୂପ ପାଉଥିଲେ ତିନି ରଥ । ୧୧ ମାସରୁ ଅଧିକ ସମୟ ବିଛେଦ ବେଦନା ଭୋଗୁଛି ବିଜେ ପଥ । ବିଶ୍ୱବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବ୍ରହ୍ମାଣ୍ଡପତି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନରେ ରଥାରୂଢ଼ ହେବେ ଦାରୁବ୍ରହ୍ମ । ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଆଣିଦେବ ମିଳନର ସେହି ଦିବ୍ୟ ମୁହୂର୍ତ୍ତ । ଏକାକାର ହେବେ ଅଗଣିତ ଭକ୍ତ ଓ ସେମାନଙ୍କ ପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଗୁଣ୍ଡିଚା ନୀତି ନିର୍ଘଣ୍ଟ ଅନୁସାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ପୂର୍ବାହ୍ନ ସାଢେ ୯ଟାରେ ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା । ଆଜ୍ଞାମାଳ ପାଇ ରଥତ୍ରୟ ସିଂହଦ୍ୱାରରେ ପହଞ୍ଚିଛି । ସକାଳ ୬ଟାରେ ମଙ୍ଗଳାଳତି, ୬ଟା୧୦ରେ ମଇଲମ, ସାଢେ ୬ରେ ତଡ଼ପ ଲାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ ୭ଟାରେ ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହୋଇଯାଇଛି । ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ୮ଟାରୁ ୯ଟା ମଧ୍ୟରେ ସରି ରଥ ପ୍ରତିଷ୍ଠା ହେଇସାରିଛି ୯ଟା ୧୫ମିନିଟ୍‌ରେ ମଙ୍ଗଳାର୍ପଣ ସରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ସାଢେ ୯ଟାରେ । ଅପରାହ୍ନ ସାଢେ ୧୨ଟାରେ ପହଣ୍ଡି ସରିବ । ୧ଟା ମଧ୍ୟରେ ଶ୍ରୀମଦନମୋହନ ଓ ଶ୍ରୀ ରାମଶ୍ରୀକୃଷ୍ଣ ରଥରେ ବିଜେ ହେବେ । ଅପରାହ୍ନ ୨ଟା ସୁଦ୍ଧା ଠାକୁରଙ୍କୁ ଚିତା ଲାଗି କରାଯିବ । ସାଢେ ୨ଟାରେ ଠାକୁରଙ୍କ ବେଶ ଶେଷ ହେବ । ସାଢେ ୨ରୁ ସାଢେ ୩ ମଧ୍ୟରେ ଗଜପତିଙ୍କ ଛେରାପହଁରା ସରିବ । ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ରଥ ଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.