ଯୁବ ସମାଜସେବୀ ଯଶୋବନ୍ତଙ୍କ ପ୍ରଶଂସନୀୟ ପଦକ୍ଷେପ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରାଜପୁର ଗାଁର ଯାଜ୍ଞସେନି ପୁଝାରୀ ସେହି ଗାଁର ସଚିଦାନନ୍ଦ ନାଏକଙ୍କୁ ଆଠ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ବିବାହକୁ ଯାଜ୍ଞସେନିଙ୍କ ପରିବାର ଗ୍ରହଣ କରିନଥିଲେ । ତେବେ ତାଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରିଥିଲେ । ସାମାଜିକ ବାସନ୍ଦ ଯୋଗୁ ସେମାନେ ଅଲଗା ରହୁଥିଲେ । ଏଥି ଯୋଗୁଁ ସଚ୍ଚିଦାନନ୍ଦ ମାନସିକ ଚାପରେ ରହୁଥିଲେ ଓ ମାନସିକ ଭାରସାମ୍ୟ ହରାଇ ଗତ ବର୍ଷ ସେପ୍ଟେମ୍ବର ୫ ତାରିଖ ଦିନ ଆତ୍ମହତ୍ୟା କରିଥିଲେ । ଏହାପରେ ଯାଜ୍ଞସେନି ମଧ୍ୟ ଭାଙ୍ଗିପଡିଥିଲେ । ପରେ ଜୁନାଗଡ଼ ପୋଲିସ ସହାୟତରେ ତାଙ୍କୁ ଓ ତାଙ୍କର ୨ ଛୁଆ ଧରିତ୍ରୀ ଓ ଲିପାନସିଙ୍କୁ ଉଦ୍ଧାର କରି ଧର୍ମଗଡ଼ ସଷ୍ଟେ ହୋମରେ ରଖାଯାଇଥିଲା । କିନ୍ତୁ ସେ ତାଙ୍କର ଘରକୁ ନେଇ ଛାଡି ଦେବା ପାଇଁ ଅନୁରୋଧ କରିଥିବାରୁ ତାଙ୍କୁ ଗତ ମେ ମାସ ୩୦ ତାରିଖ ଦିନ ତାଙ୍କର ଘର ରାଜପୁରକୁ ଅଣାଯାଇଥିଲା । ତାଲା ବନ୍ଧ ହେତୁ ଚଳିବା ପାଇଁ ତାଙ୍କ ପକ୍ଷେ ସମ୍ଭବ ନଥିଲା । ସାମାଜିକ ବାସନ୍ଦ ଯୋଗୁ ତାଙ୍କୁ କେହି ପଚାରୁ ନଥିବା ବେଳେ ରହିବା ଖାଇବା ପାଇଁ ସେମାନେ ବହୁତ ହଇରାଣ ହେଉଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ଯୁବ ସମାଜସେବୀ ଯଶୋବନ୍ତ ରଣା ଜୁନାଗଡ଼ ବ୍ଲକ ପ୍ରଶାସନ, କଳାହାଣ୍ଡି ଜିଲ୍ଲାପାଳ, ମୋ ସରକାରଙ୍କୁ ଟ୍ୱିଟର ଯୋଗେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ପ୍ରତିନିଧି ଦଳ ତଦନ୍ତ ପାଇଁ ରାଜପୁର ଗାଁରେ ପହଂଚିଥିଲେ । ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ସେମାନଙ୍କୁ ଥଇଥାନ କରିବା ଏବଂ ଯାଜ୍ଞସେନିଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ତାଙ୍କୁ ଧର୍ମଗଡ଼ ସ୍ଥିତ ପ୍ରେମଦାନ ଆଶ୍ରମରେ ରଖାଯିବା ସହ ତାଙ୍କର ଚିକିତ୍ସା କରାଯିବାକୁ ନିଷ୍ପତ୍ତି ନେଇଥିଲେ । ସେହିପରି ଦୁଇ ଛୁଆଙ୍କୁ ଭବାନୀପାଟଣା ସ୍ଥିତ ନେହେରୁ ସେବାକେନ୍ଦ୍ରା ଠାରେ ରଖି ତାଙ୍କ ପଢ଼ିବାର ବ୍ୟବସ୍ଥା ସହ ତାଙ୍କର ସମସ୍ତ ସୁରକ୍ଷା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବୁଝିବା ନିଷ୍ପତ୍ତି ନେଇଛନ୍ତି । ଯାଜ୍ଞସେନି ଭଲ ହୋଇ ଘରକୁ ଫେରିଲେ ତାଙ୍କ ନାଁରେ ଗୋଟିଏ ଘର ଦେବା ସହ ରାସନ କାର୍ଡ ଦେବାକୁ ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ, ଜୁନାଗଡ଼ ବି.ଡି.ଓ, ସ୍ଥାନୀୟ ସମାଜସେବୀ ଉପସ୍ଥିତ ଥିଲେ । ଯୁବ ସମାଜସେବୀଙ୍କ ଏହିପରି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.