ଭଞ୍ଜନଗର : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ ସାରା ରାଜ୍ୟରେ ଗତକାଲି ଜିରୋ ଟଲେରାନ୍ସ ଡେ ଭାବେ ପାଳନ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାକୁ ଗତକାଲିଠାରୁ କଡାକଡି ଭାବେ ପାଳନ କରାଯାଇଛି । ଜିଲ୍ଲାର ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ୧୨ଟି ଏ ସଂପର୍କିତ ମାମଲା ରୁଜୁ କରାଯାଇଥିବା ବେଳେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ପକ୍ଷରୁ ୨ ଟି ମାମଲା ରୁଜୁ କରାଯାଇଛି ।
ମଙ୍ଗଳବାର ଖୋଦ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଭଞ୍ଜନଗର ସହରର ବିଭିନ୍ନ ରାସ୍ତାରେ ଚଳପ୍ରଚଳ କରୁଥିବା ଯାନ ବାହାନ ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ପ୍ରଥମ ଦିବସରେ ୨ ଜଣ ନାବାଳକ ଗାଡି ଚାଳକଙ୍କୁ ଧରିଥିବା ଜଣାପଡିଛି । ଆଞ୍ଚଳିକ ପରିବହନ ଅଧିକାରୀ ରାୟ ଏସଂପର୍କରେ ଦେଇଥିବା ସୂଚନା ପ୍ରକାରେ ମଙ୍ଗଳବାର ସାରା ରାଜ୍ୟରେ ଗୋଟିଏ ଦିନରେ ଏହି ଜିରା ଟଲେରାନ୍ସ ଡେ ପାଳିତ ହୋଇଛି । ଭଞ୍ଜନଗର ସହରରେ ମଧ୍ୟ ଏଥିପାଇଁ କଡା ନଜର ରଖାଯାଇ ଯାଞ୍ଚ କରାଯାଇଥିବା ବେଳେ ୨ ଜଣ ନାବାଳକ ବାଇକ୍ ଚାଳକ ଧରାପଡି ତଣ୍ଡ ଗଣିଛନ୍ତି । ଏଥିନେଇ ୨ଟି ମାମଲା ରୁଜୁ କରାଯାଇ ପ୍ରତ୍ୟେକ ନାବାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପକାଯାଇଛି । ସେହିପରି ଧରାପଡ଼ିଥିବା ୨ ଜଣ ନାବାଳକଙ୍କୁ ୨୫ ବର୍ଷ ଯାଏଁ ସର୍ବ ଭାରତୀୟ ସ୍ତରରେ କେଉଁଠି ବି ଡ୍ରାଇଭିପ୍ସ ଲାଇସେନ୍ସ ମିଳିପାରିବ ନାହିଁ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ।
ଆରଟିଓଙ୍କ ସୂଚନା ପ୍ରକାରେ ଏଣିକି ଏହି ନିୟମ ରାଜ୍ୟରେ କଡାକଡି ଭାବେ ପାଳନ ହେବ । ଧରାପଡିବା ନାବାଳକ/ନାବାଳିକାଙ୍କୁ ୨୫ ବର୍ଷ ଯାଏଁ ଲାଇସେନ୍ସ ମିଳିବ ନାହିଁ । ପରିବାରର ମୁଖ୍ୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହେବ । ପ୍ରତ୍ୟେକ ନାବାଳକ ବାଇକ୍ ଚଳାଉଥିବା ବେଳେ ଧରାପଡିଲେ ୨୫ ହଜାର ଟଙ୍କାର ଜୋରିମାନା ଦେବାକୁ ବାଧ୍ୟ ହେବେ । ଏଣୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏଥିପାଇଁ ସଜାଗ ରହିବା ନିହାତି ଆବଶ୍ୟକ ବୋଲି ସେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷରେ ମୋଟର ଯାନ ଚଳାଚଳ ଅଧିନିୟମ ପ୍ରକାରେ ବିନା ହେଲମେଟରେ ଯାତ୍ରା କରିବା, ବିନା ଲାଇସେନ୍ସରେ ଯାତ୍ରା, ଗାଡିର ସମସ୍ତ କାଗଜପତ୍ର ଠିକ୍ ନଥିଲେ ଧରାପଡି ଅର୍ଥ ଦଣ୍ଡରେ ଦଣ୍ଡିତ ହେବ । ଏଣୁ ନାଗରିକ ମାନେ ଏଥିପ୍ରତି ସଜାଗ ଓ ସଚେତନ ରହିବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି ।