- ସେବାନିବୃତ୍ତ ବିକାଶ ମଞ୍ଚ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାର ସମଗ୍ର ଦେଶର ପେନସନ ଭୋଗୀଙ୍କ ବିରୋଧରେ ଗତ ମାର୍ଚ୍ଚ- ୨୦୨୫ ରେ ସଂସଦରେ ଯେଉଁ ଭ୍ୟାଲିଡେସନ ବିଲ ପାରିତ କରି ପେନସନ ଭୋଗୀଙ୍କୁ ଅଷ୍ଟମ ବେତନ କମିଶନରେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ତାରି ବିରୁଦ୍ଧରେ ସମଗ୍ର ଦେଶରେ ଅସନ୍ତୋଷ ବ୍ୟାପୁଛି । ସର୍ବଭାରତୀୟ ପେନସନର୍ସ ଫେଡେରେସନ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ନିଆଯାଇଛି । ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଏନଜିଓ ହଲ ଠାରେ ଆୟୋଜିତ କାର୍ଯ୍ୟକାରୀ କମିଟି ବୈଠକରେ ସମ୍ପାଦକ ଅଶୋକ କୁମାର ଦଳେଇ ସୂଚନା ପ୍ରଦାନ କରିଥିଲେ । ସମସ୍ୟା ସମାଧାନ କରିବା ପରିବର୍ତ୍ତେ ପେନସନ ଭୋଗୀଙ୍କ ପ୍ରାପ୍ୟକୁ ସଂକୁଚିତ କରିବା ଓ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଥିବା ମନ୍ଦ ଉଦ୍ଦେଶ୍ୟକୁ ବୈଠକରେ ରାଜ୍ୟ ସମ୍ପାଦକ ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ନିଖିକ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ କାମରାଜୁ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର କୁମାର ପଣ୍ଡା ତୀବ୍ର ବିରୋଧ କରିଥିଲେ । ଆଗାମୀ ୨୫ ତାରିଖ ଦିନ ଗଞ୍ଜାମର ଭଞ୍ଜନଗର, ଛତ୍ରପୁର ଉପଖଣ୍ଡରେ ଏବଂ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମଖରେ ଧାରଣା ସହ ସମ୍ପୃକ୍ତ ଅଧିକାରୀଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯିବ ଏବଂ କଳା ବ୍ୟାଜ ପିନ୍ଧି ଉକ୍ତ ଭ୍ୟାଲିଡେସନ ବିଲରେ ଅଗ୍ନି ସଂଯୋଗ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁବାଷ ଚନ୍ଦ୍ର ମିଶ୍ର ସହ ସମ୍ପାଦକ ମିହିର କାନ୍ତ ମହାପାତ୍ର, ସମୀର କୁମାର ଆଚାର୍ଯ୍ୟ, ଇ. କନ୍ୟାକୁମାରୀ, ଶାନ୍ତିଲତା ଦେବୀ, ବ୍ରଜେନ୍ଦ୍ର ଉପାଧ୍ୟାୟ, କୁମାର ସ୍ୱାମୀ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।