ବଲାଙ୍ଗିର ଜିଲ୍ଲା ବେଡମିଣ୍ଟନ ଚାମ୍ପିୟନସିପ୍‌ ଉଦ୍‌ଘାଟିତ : ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଠାରୁ ବଲାଙ୍ଗିର ପିଆର୍‌ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ବେଡମିଣ୍ଟନ ଚାମ୍ପିୟନସିପ୍‌ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଓ ଏସ୍‌ପି ଋଷିକେଶ ଖିଲାରୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଜୁଲାଇ ୨୫ରୁ ୨୮ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନସିପ୍‌ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ, ତୁଷୁରା ସମେତ ଅନ୍ୟାନ୍ୟ ଅଞ୍ଚଳର ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ଉଭୟ ବାଳକ, ବାଳିକା ମିନିଟ ସବ୍‌ଜୁନିଅର, ଜୁନିଅର ପୁରୁଷ ଓ ମହିଳା ସମେତ ସମସ୍ତ ଭେଟେରାନ ବୟସ ବର୍ଗରେ ସିଙ୍ଗଲ୍ସ ଓ ଡବଲ୍ସ ଚାମ୍ପିୟନସିପ୍‌ ପ୍ରତିଯୋଗିତା ହେବ । ଜିଲ୍ଲା ବେଡମିଣ୍ଟନ ଏସୋସିଏସନ୍‌ର ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର,ସମ୍ମାନିତ ଅତିଥି ଭାବରେ ଏସ୍‌ପି ଋଷିକେଶ ଖିଲାରୀ, ପିଆର୍‌ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଘ, ଜିଲ୍ଲା ବେଡମିଣ୍ଟନ ଅସୋସିଏସନ୍‌ର ସଭାପତି ଗୋପାଳ ପଣ୍ଡା, କାର୍ୟ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ଓ ଜିଲ୍ଲା ବେଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚାମ୍ପିୟନସିପ୍‌କୁ ୧୨ଜଣ ଟିଓ ଯଥା ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ସୁଶାନ୍ତ ମହାନ୍ତି, ପବନ ସାହୁ, ବୈଷ୍ଣବ କବାଟ, ଉପେନ୍ଦ୍ର ଚନ୍ଦନ, ସ୍ୱରୂପ ପଧାନ, ସ୍ମରଣିକା ବେହେରା, ରୋଶନ ଜୈନ, ସୁରେନ୍ଦ୍ର ନେପାଳ, କବି ଠାକୁର, କାନୁ ଲାଲ, ଆକ୍ରମଣ ଖାଁ ପ୍ରମୁଖ ଖେଳ ପରିଚାଳନା କରୁଥିବା ବେଳେ ହେମନ୍ତ ପଧାନ ଚିଫ ରେଫରୀ ଏବଂ ଚନ୍ଦ୍ରଶେଖର ମିଶ୍ର ସହକାରୀ ମୁଖ୍ୟ ରେଫରୀ ଭାବେ ସମସ୍ତ ଖେଳ ପରିଚାଳନା ଦାୟିତ୍ୱରେ ଅଛନ୍ତି । ଜିଲ୍ଲାସ୍ତରରେ ଏଭଳି ଏକ ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ ଯେଉଁଠାରେ କି ବ୍ଲକ ସ୍ତରରୁ ଜାତୀୟ ଚାମ୍ପିୟନସିପ୍‌ ସଫଳତାର ସହ ଆୟୋଜନ ହୋଇସାରିଛି । ସେହି ଭିତ୍ତିଭୂମିରୁ ଆମ ଛାତ୍ରଛାତ୍ରୀ ଓ କ୍ରୀଡାବିତମାନେ ନିଶ୍ଚୟ ସୁଫଳ ପାଇବେ ବୋଲି ଜିଲ୍ଲାପାଳ ଶ୍ରୀ ଇସଲୱାର କହିଥିଲେ । ସୁରୁଲାଲ ମଟାରୀ କାର୍ୟ୍ୟକ୍ରମ ଓ ଚାମ୍ପିୟନସିପ୍‌ ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.