
ପୂଜାରାଙ୍କ ଧୈର୍ୟ୍ୟପୂର୍ଣ୍ଣପାଲି ଓ ପନ୍ତଙ୍କ ଧମାକାଦାର ପାଲି ଯୋଗୁଁ ଭାରତ ଭାଙ୍ଗିଲା ଅଷ୍ଟ୍ରେଲିଆର ଗାବାରେ ୩୩ବର୍ଷର ଅପରାଜୟ ଧାରା
ବ୍ରିସବେନ୍ : ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି । ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି । ରିଷଭ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି ଟିମ୍ ଇଣ୍ଡିଆ। ଭାରତୀୟ ଯୁବ ଟିମ୍ ଆଗରେ ମୁଣ୍ଡ ନୁଆଇଁଛି କଙ୍ଗାରୁ ଦଳ। ପଞ୍ଚମ ଦିନରେ ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା । ତେବେ ଶୁଭମନ ଗିଲ୍ ଓ ଚେତେଶ୍ବର ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମନ । ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନକୁ ଫେରିଥିଲେ । ପୂଜାରା ଓ ପନ୍ତ ଦୀର୍ଘ ସମୟ ଧରି ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ । ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ଅଗ୍ରୱାଲ୍ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ। ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡ଼କୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ ।