ବଲାଙ୍ଗିର, (ଦେବାଶୀଷ ମିଶ୍ର) : ଯେତେବେଳେ ଯନ୍ତ୍ରଣାର ମେଘ ଆସେ, ଯେତେବେଳେ ଆଖିରୁ ଲୁହ ଆସେ ଏବଂ ବ୍ୟକ୍ତି ଅନୁତାପର ନିଆଁରେ ଜଳିଯାଏ, ସେତେବେଳେ ଭବିଷ୍ୟତ ଏବଂ ବତ୍ର୍ତ୍ତମାନର ଚିନ୍ତାରେ ଅନେକ ସମୟରେ ଅସୁବିଧାରେ ପଡେ । ଏହି କାରଣରୁ ଆମର ବର୍ତ୍ତମାନ ମଧ୍ୟ ନଷ୍ଟ ହୋଇଯାଏ । ଏପରି ଲୋକମାନେ ବୁଝିବା ଉଚିତ୍ ଯେ ଜୀବନ ଚାରି ଦିନର ଅଟେ, ଏହାକୁ ଖୋଲାଖୋଲି ଭାବରେ ବଞ୍ଚିବା ଉଚିତ୍ । ବଲାଙ୍ଗିରର ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ୍ ତରଫରୁ ବଲାଙ୍ଗିର ଜିଲ୍ଲା ଜେଲରେ ଥିବା ଅନ୍ତେବାସୀଙ୍କ ପାଇଁ ଏକ କାର୍ଯ୍ୟକ୍ରମରେ ‘ଜିନ୍ଦେଗୀ ନା ମିଲେଗି ଦୋବାରା’ ଆୟୋଜିତ ହୋଇଯାଇଛି । ସହଯୋଗ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଭାପତି ଅନୀଲ ମୋଦୀଙ୍କ ନେତୃତ୍ୱରେ ସଂଗଠିତ ଏହି ପ୍ରଶିକ୍ଷଣକୁ ଶ୍ରୀ ଆର୍ତ୍ତତ୍ରାଣ ପାଢ଼ୀ ପରିଚାଳନା କରିଥିଲେ । ଜିଲ୍ଲା କାରାଗାର ଅଧୀନରେ ଥିବା କଏଦୀମାନେ ଏହି ଜୀବନକୁ କିପରି ବଂଚିବେ ଏବଂ ଭୁଲ୍କୁ ଭୁଲିଯାଇ ଜୀବନରେ ଆଗକୁ ଜଣେ ଭଲ ନାଗରିକ ଭାବରେ ବଞ୍ଚିବା ପାଇଁ ତାଲିମ ଦିଆଯାଇଥିଲା । ପ୍ରଶିକ୍ଷଣ ପରେ ବନ୍ଦୀମାନଙ୍କ ଭିତରେ ଅନୁତାପର ଲୁହ ଏବଂ ଜୀବନ ପରିବର୍ତ୍ତନକାରୀ ଆଶା ଦେଖାଗଲା ଏବଂ କିଛି ବନ୍ଦୀ ସେମାନଙ୍କ ଅନୁଭୂତି ବାଣ୍ଟିଲେ । ଏହି କାର୍ୟ୍ୟକ୍ରମରେ ସମାଜ ସେବୀ ପୀୟୂଷ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଜେଲ୍ ଅଧୀକ୍ଷକ ଧୀରେନ୍ଦ୍ର ନାଥ ବାରିକ୍, ଜେଲର ସସ୍ମିତା ଅଞ୍ଜନା ଲାକ୍ରା, ରାମାବତାର ଅଗ୍ରୱାଲ, ତ୍ରିଷ୍ଣା ଭଟ୍ଟାଚାର୍ୟ୍ୟ ପଞ୍ଚାନନ ପ୍ରଧାନଙ୍କ ବିଶେଷ ସହଯୋଗ ରହିଥିଲା । ସହଯୋଗ ଫାଉଣ୍ଡେସନର ସମ୍ପାଦକ ପିଙ୍କି ମୋଦୀ ଜଣାଇଛନ୍ତି ଯେ, ଏହି ସଂଗଠନ ଆମ୍ବୁଲାନ୍ସ ସେବା, ଅମ୍ଳଜାନ ସେବା, ରକ୍ତ ଦାନ, ଖାଦ୍ୟ ବଣ୍ଟନ ଏବଂ ବିଦ୍ୟାଳୟ ଓ କଲେଜରେ ତାଲିମ କାର୍ଯ୍ୟକ୍ରମ ଚାଲିଛି ଏବଂ ତା’ ସଂଗେ ସଂଗେ ବର୍ତ୍ତମାନ ଛୋଟ ଗାଁରେ ଏହି ସମସ୍ତ କାର୍ଯ୍ୟକ୍ରମ ବିସ୍ତାର କରିବାର ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।
Prev Post