ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ । ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ଘୁମୁସରର ଅବଦାନ ପ୍ରସଙ୍ଗକୁ ଅବଲୋକନ କଲେ ମନରେ ସ୍ୱତଃ ରୋମାଞ୍ଚକର ଶିହରଣ ଖେଳିଯାଏ । ଗଞ୍ଜାମ ଜିଲ୍ଲାର ଘୁମୁସର ବିଦ୍ରୋହର ସଂଗ୍ରାମୀ ଦୋରା ବିଷୋୟୀ ଓ ଚକରା ବିଷୋୟୀଙ୍କର ଅବଦାନ ଚିର ସ୍ମରଣୀୟ ବୋଲି ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ମତବ୍ୟକ୍ତ କରି କହିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗଞ୍ଜାମ ଜିଲ୍ଲାର ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ପ୍ରତି ଗଞ୍ଜାମ ଜିଲ୍ଲାପାଳ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ୟାରେଡ୍ ଗ୍ରାଉଣ୍ଡ ମୁଖ୍ୟଫାଟକ ସମ୍ମୁଖରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ଵାରା ପୁଷ୍ପମାଲ୍ୟାର୍ପଣ ଓ ପରେ ମୁଖ୍ୟଅତିଥି ଜିଲ୍ଲାପାଳ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିର ସ୍ୱାଧୀନତା ସଂଗ୍ରାମୀଙ୍କ ଡାକରା ଇତିହାସରେ ଚିର ସ୍ମରଣୀୟ ହୋଇ ରହିଛି । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଗଞ୍ଜାମର ସ୍ୱର୍ଗତ ଅର୍ଜୁନ ବେହେରା ଓ ନନ୍ଦ କିଶୋର ମିଶ୍ର, ପାଠପଢା ସମୟରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ସ୍ୱର୍ଗତ ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀ ଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ୱନାଥ ଦାଶ, ଜଗନ୍ନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ ପ୍ରମୁଖ ସଂଗ୍ରାମୀ ମାନଙ୍କୁ ଏହି ଅବସରରେ ତାଙ୍କରି ପ୍ରତି ମୁଖ୍ୟଅତିଥି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗଞ୍ଜାମ ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳକୃଷ୍ଣଙ୍କ ପବିତ୍ର ମାଟି । ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବିନାୟକ ଆଚାର୍ଯ୍ୟଙ୍କ ପରି କୃତୀ ସନ୍ତାନ ଏହି ମାଟିର ଗୌରବ ବଢାଇଛନ୍ତି । ଓଡିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଗଞ୍ଜାମର ଅବଦାନ ଅତୁଳନୀୟ । ଆଜିର ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା ମାଟିକୁ ଭୂମିଷ୍ଠ ପ୍ରଣାମ ଜଣାଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡିଶା ପାଇଁ ଅତି ଗୁରୁତ୍ୱ ବହନ କରେ । ଚିଲିକା, ଗୋପାଳପୁରର ବେଳାଭୂମି, ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛ, ତପ୍ତପାଣି, ପୋତାଗଡ ଦୂର୍ଗ, ବୁଦ୍ଧଖୋଲ ପରି ପର୍ଯ୍ୟଟନ ସ୍ଥଳୀ ସହିତ ତାରାତାରିଣୀ, ନାରାୟଣୀ, ଭୈରବୀ, ମହୁରୀ କାଳୁଆ ଶକ୍ତିପୀଠ, ପଞ୍ଚମା ସିଦ୍ଧି ବିନାୟକ ମନ୍ଦିର, ସକଳେଶ୍ୱର ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର, ବୁଗୁଡାର କାଷ୍ଠ- ପାଷାଣରେ ନିର୍ମିତ କୋଣାର୍କ ମନ୍ଦିର ଇତ୍ୟାଦି ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ନିଦର୍ଶନ । ଗଞ୍ଜାମ ଜିଲ୍ଲା ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଜୀବନର ଆଶାତୀତ ପରିବର୍ତ୍ତନ ନିମନ୍ତେ ଓଡିଶାରେ ଏକ ଉଦାହରଣ ସୃଷ୍ଟି କରିଛି । ଆଧୁନିକୀକରଣ ଓ ସଂସ୍କାର ପାଇଁ ଓଡିଶା ସରକାର ଅତି ଯତ୍ନବାନ ଅଟନ୍ତି । ଓଡିଆ ଅସ୍ମିତା ଓ ସ୍ୱାଭିମାନକୁ ଆଗକୁ ନେବା ପାଇଁ ପ୍ରାଥମିକତା ଦିଆଯାଉଛି । ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି, କୃଷିର ଆନୁସଙ୍ଗୀକ ବିକାଶ, ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଶିଳ୍ପ ପ୍ରତିଷ୍ଠା, ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଆଦି କ୍ଷେତ୍ରରେ ସରକାର ଗଞ୍ଜାମ ଜିଲ୍ଲାକୁ ପ୍ରାଧାନ୍ୟ ଦେଉଛନ୍ତି । ସ୍ୱାଧୀନତା ଦିବସଟି ହେଉଛି ପ୍ରେରଣା ଓ ପ୍ରତିଜ୍ଞାର ଦିନ । ଆଜିର ଏହି ସ୍ୱାଧୀନତା ଦିବସ ଅବସରରେ ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓ ବିକଶିତ ଗଞ୍ଜାମ ଜିଲ୍ଲା ଗଠନ ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ବାନ ଜଣାଇଥିଲେ ।
