ଜୁନିୟର ରେଡକ୍ରସର ଜୀବେ ଦୟା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ତାଲାବନ୍ଦ ହୋଇଛି । ଲୋକମାନେ କାମଧନ୍ଦା କରିବାକୁ ଘରୁ ବାହାରି ନପାରିବାରୁ ଭୋକ ଉପାସରେ ଦିନ କାଟୁଛନ୍ତି । ସେହିପରି ଅବସ୍ଥା ଜୀବଜନ୍ତୁଙ୍କର ମଧ୍ୟ ଦେଖିବାକୁ ମିଳୁଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହେଉଛି ହରିଶଙ୍କର । ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି ବୁଲିବାକୁ । ଏଠାରେ ଥିବା ମାଙ୍କଡ଼ ମାନଙ୍କୁ ଶ୍ରଦ୍ଧାଳୁମାନେ ଫଳ, ଚଣା, ବାଦାମ, ନଡ଼ିଆ, ବିସ୍କୁଟ, ଚୁଡା ଆଦି ଖାଇବା ଜିନିଷ ଦେଇଥାନ୍ତି । ମାଙ୍କଡମାନେ ସେଗୁଡିକ ଖାଇବା ସହିତ ଜଙ୍ଗଲି ଫଳମୂଳ ଖାଇ ପେଟ ପୁରାଇଥାନ୍ତି । ବର୍ତ୍ତମାନ ତାଲାବନ୍ଦ ଯୋଗୁଁ ଦର୍ଶକମାନେ ହରିଶଙ୍କର ଆସୁନାହାନ୍ତି ଯାହା ଫଳରେ ମାଙ୍କଡମାନେ ଖାଇବାକୁ ପାଉନାହାନ୍ତି । ମାଙ୍କଡମାନେ ଭୋକ ଉପାସରେ ପଡିରହିଛନ୍ତି ବୋଲି ସୋସିଆଲ ମିଡିଆରେ ଖବରପାଇ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ମାଙ୍କଡମାନଙ୍କ ପାଇଁ ଖାଇବା ଯୋଗାଡ କରିବାରେ ଲାଗିଥିଲେ । କିଛି ଶୁଭେଚ୍ଛୁ ଅଜୟ ମାରୁତି ଗେସ ଏଜେନ୍ସି, ଶୈଳେନ୍ଦ୍ର ଜୈନ, ନବଲ ଶର୍ମା, ଦୀପକ ରାଇସମିଲଙ୍କୁ ଯୋଗାଯୋଗ କରି ତାଙ୍କରି ଆର୍ଥିକ ସହାୟତାରେ ତରଭୁଜ, କାକୁଡ଼ି, ବାଇଗଣ, ବିସ୍କୁଟ, କଦଳୀ ଆଦି ଖାଇବା ଜିନିଷ ଧରି ହରିଶଙ୍କର ଯାଇ ଖାଇବାକୁ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ପ୍ରେମରାଜ ପାଣିଗ୍ରାହୀ, ଥମିର ଛତ୍ରିଆ, ପ୍ରକାଶ ସେଲମା, ବିବେକାନନ୍ଦ ରାଏ ମାଙ୍କଡମାନଙ୍କୁ ଖାଦ୍ୟ ଦେବାରେ ସହଯୋଗ କରିଥିଲେ । ମାଙ୍କଡମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ବଦାନ୍ୟ ବ୍ୟକ୍ତିମାନଙ୍କୁ ସୋସିଆଲ ମିଡିଆରେ ଶ୍ରୀ ଦାଶ ଅନୁରୋଧ କରିଥିଲେ ।

Leave A Reply

Your email address will not be published.