ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜାଖମନ ନିକଟରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବକ ନିଜେ ବାଇକ୍ ଚଳାଇ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ, ରାସ୍ତା ପାଖରେ ଥିବା ଗଛରେ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ସେ ଗୁରୁତର ଭାବେ ଆହତ ହୋଇ ମୁହଁ ମାଡ଼ି ପଡ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପହଞ୍ଚାଇଥିଲେ । କିନ୍ତୁ, ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତକ ଜଣକ ଦେଓଗାଁ ଥାନା ସାରସମାଲ ଗାଁର ସକରାଜିତ ଭୋଇ ବୋଲି ଚିହ୍ନଟ ହୋଇଛି । ଯୁବକଙ୍କ ଅକାଳ ମୃତ୍ୟୁରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଶବ ବ୍ୟବଛେଦ ପରେ ମୃତକଙ୍କ ଶବକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଦୁଃଖଦ ଅବସରରେ ସକରା ଜିତଙ୍କ ପରିବାର ଲୋକେ ମାନବ ସେବାର ଉଦାହରଣ ସୃଷ୍ଟି କରିଛନ୍ତି । ଶବ ବ୍ୟବଛେଦ ସମାପନ ପରେ ସେମାନେ ମୃତକଙ୍କ ଆଖିକୁ ଦାନ କରିଥିବାରୁ ତାଙ୍କର ଚକ୍ଷୁଦାନ ଅନ୍ୟ ଜଣଙ୍କ ଜୀବନରେ ନୂଆ ଆଲୋକ ଆଣିବ । ଏହି ମର୍ମନ୍ତୁଦ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Prev Post