୧୫୦ ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ : ସାଲିସ ବିହୀନ ସଂଗ୍ରାମ ପାଇଁ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୋଶଲ କଳା ମଣ୍ଡଳ ପଡ଼ିଆ ବଲାଙ୍ଗିର ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିବୀର ଜନ ଜାତିର ଜନ ନାୟକ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଡ଼. ନିରଞ୍ଜନ ବିଶି ଯୋଗ ଦେଇଥିଲେ । ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ଦୀପ ପ୍ରଜ୍ୱଳନ କରି ଆଜିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସାଂସଦ ଶ୍ରୀ ବିଶି ତାଙ୍କ ବକ୍ତବ୍ୟ ମାଧ୍ୟମରେ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି ଝାରଖଣ୍ଡ ରାଜ୍ୟର ରାଞ୍ଚି କୁଳିହାତି ଗ୍ରାମରେ ୧୮୭୫ ମସିହାରେ ଜନ୍ମ ଗ୍ରହଣ କରି ମାତ୍ର ୨୫ ବର୍ଷ ଜୀବନୀ ମଧ୍ୟରେ ନିଜ ଅଞ୍ଚଳରେ, ନିଜ ରାଜ୍ୟରେ, ଦେଶରେ ଇଂରେଜ ମାନଙ୍କ ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼େଇ ଲଢ଼ିଥିଲେ ବିର୍ସା ମୁଣ୍ଡା, ଜମି ମୁକ୍ତି ଆନ୍ଦୋଳନ କରିଥିଲେ ବିର୍ସା, ମଦ ମୁକ୍ତି ଆନ୍ଦୋଳନ କରିଥିଲେ ବିର୍ସା, ଆଦିବାସୀ ମାନଙ୍କ, ଦଳିତ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ଆନ୍ଦୋଳନ, ଚାଷୀ ମାନଙ୍କୁ ଇଂରେଜ ମାନଙ୍କ ଖଜଣା ବିରୋଧରେ ଆନ୍ଦୋଳନ କରି ଇଂରେଜ ମାନଙ୍କୁ ନାକେଦମ କରି ଦେଉଥିଲେ ବିର୍ସା । ବିର୍ସା ମୁଣ୍ଡାଙ୍କ ନାଁ ଶୁଣିଲେ ଇଂରେଜ ମାନଙ୍କ ମନରେ ଭୟ ଜାତ ହେଉଥିଲା । ସ୍ୱାଧୀନତା ଆନ୍ଦୋଳନରେ ବିର୍ସା ମୁଣ୍ଡାଙ୍କ ଅବଦାନ ବଳିଦାନ ତ୍ୟାଗ ଅତୁଳନୀୟ । ସେ ମହାନ ସ୍ୱାଧୀନତା ସଂଗ୍ରାମୀ ମହାନ ଯୋଦ୍ଧାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଦିବାସୀ ମାନେ ଏକ ହୋଇ କାମ କଲେ ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆହ୍ୱାନ ଦେଇଥିଲେ । ଭାରତ ସ୍ୱାଧୀନତା ପାଇବାର ଦୀର୍ଘ ଆଠ ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ସରକାର ଆଦିବାସୀ ମାନଙ୍କ ସାମୁହିକ ଉନ୍ନତି କରିବାରେ ବିଫଳ ହୋଇଛି । କେବଳ ଆଦିବାସୀ ମାନଙ୍କ ନାମରେ ମାଳ ମାଳ ଯୋଜନା କରି ଆଦିବାସୀ ମାନଙ୍କୁ ସର୍ବସ୍ୱହା କରୁଛି ସରକାର । ସରକାର ବିଗତ ଦିନରେ ଏଟ୍ରୋସିଟି ଏକ୍ଟକୁ ଦୁର୍ବଳ କରିବାକୁ ଚକ୍ରାନ୍ତ କରିଛି, ସମ୍ବିଧାନକୁ ସଂଶୋଧନ କରିବା ନାଁରେ ସମ୍ବିଧାନକୁ ଖତମ କରିବାକୁ ଷଡଯନ୍ତ୍ର କରୁଛି, ଆଦିବାସୀ ଉପରେ କ୍ରିମି ଲେୟାର ଲଗେଇ ଦେଇଛି, ଆଦିବାସୀ ଜମିକୁ ଛଡେଇ ନେବାକୁ ହୀନ ଷଡଯନ୍ତ୍ର କରୁଛି, କୋଟା ଉଠେଇବା ପାଇଁ ଷଡଯନ୍ତ୍ର କରୁଛି । ସରକାରଙ୍କ ଆଦିବାସୀ ବିରୋଧୀ ନିତୀ ବିରୋଧରେ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, କାର୍ଯ୍ୟକାରୀ ସଭାନେତ୍ରୀ ବନଳତା ମାଝୀ, କୋଷାଧକ୍ଷ ପ୍ରଫୁଲ୍ଲ ତୁମୁନିଆ ୧୪ ଗୋଟି ବ୍ଲକର ସଭାପତି ପାଲେଶ୍ୱର ଭୋଇ, ଦଶରଥ ଛତ୍ରିଆ, ଭୁବନେଶ୍ୱର ଧରୁଆ, ରାଜେନ୍ଦ୍ର ମାଝୀ, ପଦ୍ମନ ପଧାନୀ, ବିକ୍ରମ ଭୋଇ, ସନ୍ତୋଷ ପୁଟା, ସୁରଥ ଧରୁଆ, ଭୁବନେଶ୍ୱର କୁଅଁର, ଯଦୁମଣି ବରିହା, ଲକ୍ଷ୍ମୀ ଶବର, ରସିକ ଧରୁଆ, ଖେଳନ୍ତି ସମରଥ, ମନୋରଞ୍ଜନ ଭୋଇ, ରାଜୀବ କୁଅଁର, ରାମଚନ୍ଦ୍ର ମୁର୍ମୁ, ସାରଥୀ ବାଗ, ଚକ୍ରଧର ଯାନୀ ପ୍ରମୁଖ ମଂଚାସୀନ ହୋଇ ଉଦବୋଧନ ଦେଇଥିଲେ । ଅଚ୍ୟୁତ ଧରୁଆ, ମାଧବ ବରିହା, ମହାଦେବ ମଲ୍ଲିକ, ପିଣ୍ଟୁ ବୁଡ଼େକ, ଯୁଧିଷ୍ଠିର ମିର୍ଦ୍ଧା ସହଯୋଗ କରିଥିଲେ । ସଭାକୁ ଜିଲ୍ଲା ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ପରିଚାଳନା କରିଥିବା ବେଳେ ଶେଷରେ ଟିଟିଲାଗଡ଼ ବ୍ଲକ ସଭାପତି ଧନ୍ୟବାଦ ଦେଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀ, ଟାଉନ ଥାନାଧିକାରୀଙ୍କ ସହ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ ।

Leave A Reply

Your email address will not be published.