centurian jitm

ଆଜି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣା ଷ୍ଟେଟର ପୂର୍ବତନ ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷଢେଇକେଲାର ମହାରାଣୀ ପଦ୍ମିନୀ ଦେବୀ ଓ ମହାରାଜା ଆଦିତ୍ୟ ପ୍ରତାପ ସିଂହଙ୍କ ୨ୟ ପୁତ୍ର ଭାବେ ୧୯୨୨ ମସିହା ମାର୍ଚ୍ଚ ୩୧ ତାରିଖ ଦିନ ଷଢେଇକେଲାରେ ଜନ୍ମଗ୍ରହଣ କରିଥିଲେ । ପାଟଣା ଷ୍ଟେଟର ମହାରାଜା ପୃଥ୍ୱୀରାଜ ସିଂହଦେଓ ନିଃସନ୍ତାନ ଥିବାରୁ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ପୌଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ । ମାତ୍ର ୧୨ ବର୍ଷ ବୟସରେ ୧୯୨୪ ମସିହାରେ ପାଟଣା ରାଜ ପରିବାରର ଉତ୍ତରାଧିକାରୀ ରୂପେ ସ୍ୱର୍ଗତ ସିଂହଦେଓ ପାଟଣା ଷ୍ଟେଟର ରାଜ ସିଂହାସନ ଅଳଂକୃତ କରିଥିଲେ । ୧୯୩୨ ମସିହାରେ ପାତିଆଲର ରାଜକୁମାରୀ କୈଳାସ କୁମାରୀ ଦେବୀଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା । ଆଜମୀରର ମେୟୋ କଲେଜ ଓ ହଜାରିବାଗ କଲେଜରୁ ଶିକ୍ଷା ସମାପ୍ତ କରି ୧୯୩୩ ମସିହାରେ ପାଟଣା ଷ୍ଟେଟର ଶାସନ ଭାର ଗ୍ରହଣ କରିଥିଲେ । ତାଙ୍କ ରାଜତ୍ୱ ସମୟରେ ଜନଭାଗିଦାରୀ ତଥା ବିକାଶମୂଳକ ସଂସ୍କାର କାର୍ଯ୍ୟକ୍ରମକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ । ଯାହା ଫଳରେ ପାଟଣା ଷ୍ଟେଟରେ କୃଷିର ବିକାଶ ନିମନ୍ତେ ରାଜେନ୍ଦ୍ର ଏକ୍ସପେରିମେଣ୍ଟାଲ ଫାର୍ମ ପ୍ରତିଷ୍ଠା, ଦୁଗ୍ଧ ଯୋଗାଣ ପାଇଁ ଦୁଗ୍ଧାଳୟ, ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଆୟୁର୍ବେଦିକ ଚିକିତ୍ସାଳୟ, ସମବାୟ ସମିତି ବ୍ୟାଙ୍କ ପ୍ରତିଷ୍ଠା, ଜଳ ସେଚନ ଓ ଜଳ ସରବରାହ, କଳା ସଂସ୍କୃତି ପ୍ରୋତ୍ସାହନ ପାଇଁ କୋଶଳ କଳା ମଣ୍ଡଳ, ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ୧୯୪୪ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ମହାବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରି ତାର ପ୍ଲାଟିନମ ଜୁବଲି ମଧ୍ୟ ପାଳନ କରି ସାରିଛି । ଖୁସିର କଥା ଉକ୍ତ ମହାବିଦ୍ୟାଳୟ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଠାରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭ କରି ତାର ଅତୀତ ଗୌରବକୁ ଅକ୍ଷୁର୍ଣ୍ଣ କରିଛି । ୧୯୪୯ରେ ଗୁରୁ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା, ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ‘ପାଟଣା ଦୀପିକା’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ହୋଇଥିଲା । ରାସ୍ତାରେ ଆଲୋକ ବ୍ୟବସ୍ଥା, ଜନ ସାଧାରଣଙ୍କୁ ବିଦ୍ୟୁତ୍‌ ଯୋଗାଣ ପାଇଁ ଅଗ୍ରଣୀ ଭୂମିକା ନେଇଥିଲେ ।

Leave A Reply

Your email address will not be published.