ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ସଦରମହକୁମା ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନିତ ଅତିଥି ଭାବେ ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରଣୀ ସୁନା, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ସମ୍ମାନନୀୟ ଅତିଥି ଗଣ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମାଲ୍ୟାର୍ପଣ କରିଥିଲେ । ସର୍ବଧର୍ମ ପ୍ରାର୍ଥନାରେ ସତ୍ୟବନ୍ତ ବେଦବାଗ, ଇମ୍ମାମ ସାହେବ ମହମ୍ମଦ ମୁସାହିତ ରାଜା, ପିନୁଏଲ ନାଗ, ଯଶବୀର ସିଂ ପ୍ରମୁଖ ନିଜ ନିଜ ଧର୍ମର ସାରତତ୍ୱ ବକ୍ତବ୍ୟ ମାଧ୍ୟମରେ ପ୍ରତିପାଦନ କରିଥିଲେ । ଉପସ୍ଥିତ ସମ୍ମାନିତ ଅତିଥିଗଣ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କେବଳ ଉତ୍ସବରେ ସୀମିତ ନରଖି, ଦୈନନ୍ଦିନ ଜୀବନରେ ତାଙ୍କର ମୂଲ୍ୟବୋଧକୁ ପ୍ରୟୋଗ କରିବା ସହ ସତ୍ୟ, ଶାନ୍ତି, ଦୟା, କ୍ଷମା ତଥା ସଚ୍ଚୋଟତାର ଆଦର୍ଶରେ ଅନୁପ୍ରାଣିତ ହେବା ସହ ନାଗରିକର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିବାକୁ ଆହ୍ଵାନ ଜଣାଇଥିଲେ । ମହାପୁରୁଷ ମାନଙ୍କ ସରଳ କାର୍ଯ୍ୟ କଳାପ ଗୁଡ଼ିକୁ ଆପଣେଇ ନେଇ ସେମାନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସତ୍ୟ, ଅହିଂସା ଏବଂ ନିଃସ୍ୱାର୍ଥପର ସେବା ସ୍ଥାୟୀ ଶକ୍ତିର ସ୍ମରଣ କରାଏ ତଥା ମହାମନିଷୀଙ୍କ ନୀତିବାକ୍ୟକୁ ପାଳନ କରିବା ଦ୍ଵାରା ଏକ ଉତ୍ତମ ସମାଜର କାର୍ଯ୍ୟକଳାପ ଗୁଡିକୁ ପ୍ରତିଫଳନ ତଥା ଉତ୍ସାହିତ କରିଥାଏ । ମହାମନିଷୀ ମାନଙ୍କର ନୀତି ଶିକ୍ଷା ଗୁଡ଼ିକ ବିଶ୍ୱବ୍ୟାପୀ ଜନସମାଜକୁ ପ୍ରେରଣା ଯୋଗାଇ ଦେଇ ଦେବା ସହ ଏକ ସୁସ୍ଥ ତଥା ଶୃଙ୍ଖଳିତ ସମାଜର ବିଭିନ୍ନ ଦୃଷ୍ଟିକୋଣ ଗୁଡିକୁ ପ୍ରତିଫଳିତ କରି ଆସୁଛି ବୋଲି ସଭାପତି ଶ୍ରୀଯୁକ୍ତ ସେଠୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କିସ୍ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ବାପୁଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ଓ ବେଷ୍ଣବ ଜନତେ ପରିବେଷଣ କରାଯାଇଥିଲା । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଆୟୋଜିତ ହୋଇଥିବା ବକୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ନାଗରିକ, ସମାଜସେବୀ, ଶିକ୍ଷାବିତ୍, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୌରପରିଷଦର କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରାଜେନ୍ଦ୍ର ମାଝି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।