- “ପ୍ରେମଚନ୍ଦ ନିଜର କାହାଣୀ ଓ ଉପନ୍ୟାସ ପାଇଁ ଚିର ଅମର ରହିବେ”
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟଠାରେ ପ୍ରେମଚନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରେମଚନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ନିଜ ବକ୍ତବ୍ୟରେ ମୁଂଶୀ ପ୍ରେମଚନ୍ଦଙ୍କ କାହାଣୀ ଗୁଡିକ ଆଜି ମଧ୍ୟ ଲେଖକଙ୍କ ଉଦ୍ଦେଶ୍ୟରେ ଏକ ଆହ୍ୱାନ ଭାବରେ ମୁଣ୍ଡ ଟେକି ଠିଆ ହୋଇଛି ବୋଲି କହିବା ସହ ତାଙ୍କର ଉପନ୍ୟାସ ଓ କାହାଣୀ ପାଇଁ ସେ ଚିର ଅମର ହୋଇ ରହିବେ ବୋଲି କହିଥିଲେ । ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ନିଜ ବକ୍ତବ୍ୟରେ ସାମୟିକ ଘଟଣା ଓ ଆନ୍ଦୋଳନ ପ୍ରଭୃତ ପ୍ରଭାବ ପ୍ରେମଚନ୍ଦଙ୍କ କାହାଣୀ ଉପରେ ପଡିଥିଲା ବୋଲି କହିଥିଲେ । ଶିକ୍ଷକ କାହ୍ନୁଚରଣ ଧରୁଆ କାହାଣୀ ‘ନମକ କା ଦାରୋଗା’, ଶିକ୍ଷକ ପ୍ରଦୀପ ଦଣ୍ଡସେନା କାହାଣୀ ‘ସଦଗତି’ ଓ ଶିକ୍ଷୟତ୍ରୀ ସୁଷମା ମେହେର କାହାଣୀ ‘ପୂଷ କି ରାତ’ କହି ଶୁଣେଇଥିଲେ । ଏହି ଅବସରରେ ପ୍ରେମଚନ୍ଦ ସାହିତ୍ୟ ସମ୍ପର୍କିତ ଏକ କୁଇଜ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷୟିତ୍ରୀ ପ୍ରତିଶା ମିଶ୍ର କରିଥିବା ବେଳେ ଶିକ୍ଷୟତ୍ରୀ ସୁବାସିନୀ ସେଠି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୁ ବିଶ୍ୱାଳ, ପ୍ରଜ୍ଞା ପରମିତା ଖୁ୍ଆସ, ଅଶ୍ୱିନୀ ମହାଳିଙ୍ଗ, ସଂଜୀବ ମିଶ୍ର ଓ ସୁଜିତ ଦେହେରୀ ସହଯୋଗ କରିଥିଲେ ।