
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼. ଭି. ରାଜେନ୍ଦ୍ର ରାଜୁ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଦର୍ଶନଶାସ୍ତ୍ର ଉପାଦେୟତା ଏବଂ ତାଙ୍କ ଆଦର୍ଶର ମୂଳଲକ୍ଷ୍ୟର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ବକ୍ତବ୍ୟ ସହ ଶିଶୁମାନେ ବିବେକାନନ୍ଦଙ୍କ ବେଶଭୂଷାରେ ସଜେଇ ହୋଇ ତାଙ୍କରି ମହନୀୟତାକୁ ଆଦରି ଥିଲେ । ଆଚାର୍ଯ୍ୟ ଶରତଚନ୍ଦ୍ର ପାଣିଗ୍ରାହୀ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
