ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ଦିନ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ପଦ୍ମପୁରରେ ପାଳିତ ହୋଇଯାଇଛି ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ । ଏହି ଅବସରରେ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ପଦ୍ମପୁର ନଗରରେ ବସବାସ କରୁଥିବା ଭୁଲିଆ ସମାଜର ଆବାଳ ବୃଦ୍ଧ ବନିତା ଶହ ଶହ ସଂଖ୍ୟାରେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ମେହେରପଡ଼ା ସ୍ଥିତ ଗଙ୍ଗାଧର ମେହେର ଧର୍ମଶାଳା ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ନଗର ପରିକ୍ରମା କରି ପରିଶେଷରେ ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଠାରେ ଥିବା ଗଙ୍ଗାଧର ସ୍ମୃତିପୀଠରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଶୋଭାଯାତ୍ରାରେ ଗଙ୍ଗାଧରଙ୍କ ରଚିତ କବିତାଗୁଡ଼ିକରେ ପଦ୍ମପୁର ନଗର ମୁଖରିତ ହୋଇଉଠିଥିଲା । ମାଲ୍ୟାର୍ପଣ ପରେ କବି ଗଙ୍ଗାଧରଙ୍କ ରଚିତ ବିଭିନ୍ନ କବିତା ମଧ୍ୟ ଗାନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଭୁଲିଆ ସମାଜ ସମେତ ମେହେର କବି ସ୍ମୃତି ପରିଷଦର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବୋଡ଼ାସମ୍ବର ମେହେର (ଭୁଲିଆ) ସମାଜର ସଭାପତି ରୋହିତ କୁମାର ମେହେର, ଶେଷଦେବ ମେହେର, କରୁଣାକର ମେହେର, ରାମଚନ୍ଦ୍ର ମେହେର, ଗୌରୀଶଙ୍କର ମେହେର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚର ସଭାପତି ରୀତେଶ ରଂଜନ ମେହେର, ସମ୍ପାଦକ ଚିନ୍ମୟ ମେହେର, ଉପଦେଷ୍ଟା ରାଜେନ୍ଦ୍ର ମେହେର, ସମୀର ମେହେର, ପ୍ରମୋଦ ମେହେର ପ୍ରମୁଖ ଏହାକୁ ସଫଳତାର ସହ ଆୟୋଜନ କରିଥିଲେ ।
