centurian jitm

ଓଡ଼ିଶାର ମାଲୁଦରୁ ଯାତ୍ରାରମ୍ଭ କରି ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ନୂଆଦିଲ୍ଲୀ, (ପିଆଇବି) : ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ କୋଣାର୍କଠାରୁ ୧୨୫ କିଲୋମିଟର ଯାତ୍ରାକରି ମାର୍ଚ୍ଚ ୧୪, ୨୦୨୫ରେ ମାଲୁଦରେ ପହଞ୍ଚିଥିଲା । ସାଇକେଲ ଚାଳକମାନେ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଥିରେ ସେମାନେ ସାମାଜିକ ସୁରକ୍ଷା, ପରିବେଶ ସଂରକ୍ଷଣ କ୍ଷେତ୍ରରେ ସାମୂହିକ ଯୋଗଦାନ ପାଇଁ ମିଳିତ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ଗତ କିଛି ଦିନ ଧରି ସାଇକେଲ ଚାଳକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ୮୦୦ କିଲୋମିଟର ଅତିକ୍ରମ କରି ସ୍ଥାନୀୟ ଲୋକମାନଙ୍କ ସହ ସକ୍ରିୟ ଭାବେ ମତବିନିମୟ କରିବା ସହ ସଚେତନତା ସୃଷ୍ଟି କରିଥିଲେ । ଏହି ଯାତ୍ରା ବଖାଲିରୁ ଆରମ୍ଭ ହୋଇଥିବା ବେଳେ ଏହା ପରେ ପଶ୍ଚିମବଙ୍ଗର ହଲଦିଆ ଓ ଦୀଘାରେ ପହଞ୍ଚିଥିଲା । ଓଡିଶାରେ ପ୍ରବେଶ କରିବା ପରେ ସେମାନେ ଚାନ୍ଦିପୁର, କୈଥକୋଲା, ପାରାଦୀପ, କୋଣାର୍କ ଓ ମାଲୁଦ ଦେଇ ଯାତ୍ରା କରିବା ସହ ଉପକୂଳବର୍ତ୍ତୀ ଜନସାଧାରଣଙ୍କଠାରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଓ ସମର୍ଥନ ପାଇଥିଲେ । ଉପକୂଳ ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି ମିଶନ ସହାୟକ ହୋଇଯାଇଛି । ମାଲୁଦଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏସପି ଡ. ସରବଣା ବିବେକ୍ ଏମ୍., ଅଲିମ୍ପିଆନ୍ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ରବି କୁମାର (ଡିଏସପି) ଓ ଭାରତୀୟ ସେନାର ପୂର୍ବତନ ହାବିଲଦାର ସୀମାଞ୍ଚଳ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ଉପସ୍ଥିତି ଜାତୀୟ ନିରାପତ୍ତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସାଇକ୍ଲୋଥନର ଗୁରୁତ୍ୱଉପରେ ଆଲୋକପାତ କରିଥିଲା । ୨୦୨୫ ମାର୍ଚ୍ଚ ୧୫ ତାରିଖରେ ସାଇକେଲ ଚାଳକମାନେ ମାଲୁଦରୁ ଆନ୍ଧ୍ରପ୍ରଦେଶର ସୋମପେଟା ଅଭିମୁଖେ ଯାତ୍ରା ଆରମ୍ଭ କରି ଅଭିଯାନର ତୃତୀୟ ରାଜ୍ୟରେ ପ୍ରବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ସମେତ ସ୍ଥାନୀୟ ସମୁଦାୟ ସକ୍ରିୟ ଅଂଶଗ୍ରହଣ କରିବା ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାମୁଦ୍ରିକ ନିରାପତ୍ତା, ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସାଇକେଲ ଚାଳକମାନେ ହୁମା, ଗୋପାଳପୁର, ବ୍ରହ୍ମପୁର ଓ ସୋରଳା ଭଳି ପ୍ରମୁଖ ଅଞ୍ଚଳ ଅତିକ୍ରମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ସହ ମତବିନିମୟ କରିଥିଲେ । ଏହା ପରେ ପ୍ରାୟ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଶେଷରେ ସେମାନେ ଆନ୍ଧ୍ରପ୍ରଦେଶର ସୋମପେଟାରେ ପହଞ୍ଚି ନିଜ ଯାତ୍ରାର ପଶ୍ଚିମବଙ୍ଗ ଓ ଓଡ଼ିଶା ପର୍ଯ୍ୟାୟକୁ ସଫଳତାର ସହ ଶେଷ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା । ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି । ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି । ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.comରେ ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ” ।

Leave A Reply

Your email address will not be published.