jayashree

ଧାତୁକଜୁରୀ ଗ୍ରାମରେ ପ୍ରସିଦ୍ଧ ବୁଢାଦେଓଙ୍କ ଯାତ୍ରା ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜିର ଆଧୁନିକ ଯୁଗରେ ମଧ୍ୟ ବଞ୍ଚି ରହିଛି ଆଦିବାସୀ ପରମ୍ପରା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ପଂଚାୟତ ଧାତୁକଜୁରୀ ଗ୍ରାମରେ କାହିଁ ଆବାହନ କାଳରୁ ଏହି ଗାଁରେ ଅନୁଷ୍ଠିତ ହେଉଛି ଆଦିବାସୀ ଷୋଡ ବଂଶୀ ଗଣ୍ଡ ସଂପ୍ରଦାୟର ମୁଖ୍ୟ ପର୍ବ ବୁଢାଦେଓଙ୍କ ଯାତ୍ରା । ଏହି ଯାତ୍ରାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଛିି । ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଦେବ ନିମନ୍ତ୍ରଣ କରିବା ଓ ଦେବ ଦର୍ଶନ କରାଯାଇଥିଲା । ଏହା ଏକ ଭିନ୍ନ ସ୍ୱରୂପ କଳା ରାଶି ଗୁଆ ଘିଅ ସହ ପ୍ରଥମେ ବୁଢାଦେଓ ପରେ ବିଭିନ୍ନ ଦେବାଦେବୀ ନିୟମ ମୁତାବକ ଗନସନ କରାଯାଇଥିଲା । ତା’ପର ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଦେବା ଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଦେହୁରୀଙ୍କ ଦେହରେ ବିରାଜିତ ହୋଇ ଗ୍ରାମ ପରିକ୍ରମା କରିବା ସହିତ ପ୍ରଚଳିତ ପରମ୍ପରା ଅନୁସାରେ ଦେହୁରୀ ଯାହାଙ୍କ ଉପରେ ପ୍ରସନ୍ନ ହୋଇବେ ସେ ବ୍ୟକ୍ତି ଦେବତାଙ୍କ ସହ ଆଖଡା କରିଥାନ୍ତି । ଗ୍ରାମ ପରିକ୍ରମା କରି ସାରିବା ପରେ ମନ୍ଦିର ବାହୁଡିବା ପରେ ସନ୍ଧ୍ୟାରେ ବଳି ଭୋଗ ଦିଆଯାଇଥିଲା । ଏହି ଦେବାଦେବୀଙ୍କ ପୂଜା ପାଠ ଅତି ନିଷ୍ଠା ରୀତିନୀତି ଉପବାସ ଦେବ ପୂଜା ବିଧିବିଧାନର ସହ କରାଯାଏ । ବୁଢାଦେଓଙ୍କ ପୌଷ ଯାତ୍ରା ନ ସରିବା ପର୍ଯ୍ୟନ୍ତ ଏହି ବଂଶର କାହାରି ପୁଅ ଝିଅଙ୍କ ବିବାହ ହୋଇନଥାଏ ବୋଲି ଲୋକଙ୍କ ଅଗାଧ ବିଶ୍ୱାସ ରହିଛି । ଅପୁତ୍ରିକକୁ ପୁତ୍ରଦାନ କରିଥାନ୍ତି ବୋଲି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହୁଛି । ଯାତ୍ରାର ଶେଷ ଦିବସରେ ମାନସିକଧାରୀ ନିଜ ମନସ୍କକାମନା ପୂର୍ଣ୍ଣ ପାଇଁ ସଂକଳ୍ପ କରିବା ସହିତ ଅଧିଆ ପଡିଥିଲେ । ଚଳାପଥ ସୁଖ ଶାନ୍ତି ରହିବା ପାଇଁ ଇଷ୍ଟ ଦେବତା ବୁଢାଦେଓଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଶେଷରେ ମା’ ମାଉସୀ ପୁଷ୍ପମାଲ୍ୟ ଓ ଧୂବ ଚାଉଳ ଧରି ବନ୍ଦାପନା କରି ନିସାଣ ମୃଦଙ୍ଗର ବାଦନର ତାଳେ ତାଳେ ଯାତ୍ରା ସମ୍ପନ୍ନ ହୋଇଥିଲା । ଯେଉଁ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥିଲା ସେମାନେ ବୋଦା ବଳି ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଆଦିବାସୀ ପାରମ୍ପରିକ ବାଦ୍ୟରେ ମା’ ବିରାଜମାନ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଆଜିର ଆଧୁନିକ ଦିନରେ ମଧ୍ୟ ନିଜର ପରମ୍ପରାକୁ ବଞ୍ଚାଇବାକୁ ଆଦିବାସୀ ଗଣ୍ଡ ସମ୍ପ୍ରଦାୟ ଏହି ପୂଜା ଜାରି ରଖିଥିବା ଦେଖିବାକୁ ମିଳିଥିଲା । ବୁଢାଦେଓଙ୍କ ଏହି ଯାତ୍ରାକୁ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଥାଏ । ଭକ୍ତମାନେ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସଭାପତି ବସନ୍ତ ମାଝୀ, ପୂଝାରୀ ସୁରେଶ ମାଝୀ, ଦେହୁରୀ ବରୁଣ ଧରୁଆ, ସୁଦର୍ଶନ ମାଝୀ, ବୈଷ୍ଣବ ମାଝୀ, କୈବଳ ମାଝୀ, ମନମୋହନ ମାଝୀ, ରାଏସିଂ ମାଝୀ, ଦୁର୍ଜନ ମାଝୀ, ରଘୁନାଥ ମାଝୀ, ଖପ୍ରାଖୋଲର ଧରମ ସିଂ ଧରୁଆଙ୍କ ସହ ଶତାଧିକ ଅଂଚଳବାସୀମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.