ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡ ଯାତ୍ରା, ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବା ସହ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ପ୍ରତ୍ୟେକ ଦିନ ବାଲିଗୁଡା ସହରରେ ପ୍ରତିଦିନ ୪ରୁ ୫ ଥଳ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ୟରେ ସାରା ସହର ଦୁଲୁକୁଥିବା ବେଳେ ଝୁଣାର ବାସ୍ନାରେ ମହକୁଛି । ବାଲିଗୁଡା ସମେତ ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍ବାଡ଼ି (ଦାରିଙ୍ଗବାଡ଼ି), ରତଙ୍ଗ ଅଞ୍ଚଳ ର ଦଣ୍ଡଥଳ ପ୍ରତ୍ୟେକ ନିଜ ନିଜର ନାଚ ପରିବେଷଣ କରୁଥିବା ବେଳେ ମା’ ରୁଦ୍ର କାଳୀଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଛି । ଏ ଅବସରରେ ଗ୍ରାମର ଦଣ୍ଡୁଆମାନେ ମାନସିକଧାରୀଙ୍କ ବାସଭବନ ସମ୍ମୁଖରେ ସକାଳ ସମୟରେ ବରଣ ହୋଇ ପରେ ମଧ୍ୟାହ୍ନ ସମୟରେ ଧୂଳିଦଣ୍ଡ ପୃଥକ ପୃଥକ ଭାବେ ସଂପାଦନ କରୁଛନ୍ତି । ତା’ ପରେ ମା’ ରୁଦ୍ରକାଳୀଙ୍କୁ ଧରି ପୋଖରୀ ତୁଠକୁ ଯାଇ ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ କାର୍ଯ୍ୟ ସଂପାଦନ କରିଥିଲେ। ଅଗ୍ନିଦଣ୍ଡ କୁ ଖେଳାଇ ଦଣ୍ଡୁଆମାନେ ମାନସି ଧାରୀଙ୍କ ବାସ ଭବନକୁ ଗମନ କରି ସେଠାରେ ପୂଜା ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରିଥିଲେ । ରାତ୍ର ସମୟରେ ପୁଣି ମାନସିଚଧାରୀଙ୍କ ବାସ ଭବନ ସମ୍ମୁଖରେ ପାରମ୍ପରିକ ମା’ କାଳୀଙ୍କ ପରଭା ନୃତ୍ୟ ପରିବେଷଣ ହେଲା ପରେ ପାରମ୍ପରିକ ନୃତ୍ୟ ଗୀତ ଅନୁଷ୍ଠିତ ହେଉଛି । କେତେକ ସ୍ଥାନରେ ୧୩ ତାରିଖ ମାସନ୍ତ ମେରୁ ଅନୁଷ୍ଠିତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ୧୪ ତାରିଖ ସଂକ୍ରାନ୍ତି ମେରୁକୁ ଖୁବ ଜାକଜକମକରେ ପାଳନ କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏନେଇ ସମସ୍ତ ଗ୍ରାମର ଦଣ୍ଡ ଥଳ ମାନସିକଧାରୀ ଭକ୍ତଙ୍କ ଘର ସମ୍ମୁଖରେ ହେଉଥିବା ଦଣ୍ଡଯାତ୍ରାକୁ ସମାପନ କରି ୧୩ ତାରିଖ ସକାଳ ସୁଦ୍ଧା ନିଜ ନିଜ ଗ୍ରାମର ମା ‘କାଳୀଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ୧୩ ଦିନିଆ ଦଣ୍ଡଯାତ୍ରାକୁ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରି ଉଦଯାପନ କରିବେ ।