ବିଜ୍ଞାନ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ଜୟଦୁର୍ଗା ଉଚ୍ଚ ଵିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଜାତୀୟ ଶିକ୍ଷକ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଶ୍ରୀ କରଙ୍କୁ ରୌପ୍ୟ ପଦକ ସହ ନଗଦ ୫୦ ହଜାର ଟଙ୍କା ସହ ମାନପତ୍ର ଦେଇ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ସହ ବିଜ୍ଞାନ ଉପକରଣ ପ୍ରସ୍ତୁତ, ସମାଜରେ ବିଜ୍ଞାନର ଭୂମିକା ପାଇଁ ଶ୍ରୀ କରଙ୍କ ଯଥେଷ୍ଟ ଭୂମିକା ରହିଛି । ପୂର୍ବରୁ ମଧ୍ୟ ସନ୍ତୋଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରାଜ୍ୟ ଶିକ୍ଷା ପୁରସ୍କାର ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶିକ୍ଷକ ଶ୍ରୀ କର କଳାହାଣ୍ଡି ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ପରିବାର ସଦସ୍ୟ, ଶିକ୍ଷା ଗୁରୁ, ଶୁଭେଚ୍ଛୁ ଏବଂ ତାଙ୍କ ଅତିପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି । ନର୍ଲା ବ୍ଲକ ତୁଳା ଗାଁର ସ୍ୱର୍ଗତ ଗଙ୍ଗାଧର କର ଏବଂ ଶ୍ରୀମତୀ ସ୍ନେହଲତା କରଙ୍କ ସୁପୁତ୍ର ସନ୍ତୋଷ କର ଜାତୀୟ ଶିକ୍ଷକ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ତାଙ୍କ ନିକଟକୁ ଜିଲ୍ଲା ବ୍ରାହ୍ମଣ ସମାଜ ଏବଂ ଅନେକ ଶୁଭେଚ୍ଛୁଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.