‘କୋଶଳ ପ୍ରବାହ’ର ୨୨ତମ ଜନ୍ମୋତ୍ସବ : ଦେଶ ଗଠନରେ ଜନସାଧାରଣ ସହଭାଗୀ ହୁଅନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୨୨ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ‘ସାଂପ୍ରତିକ ସମୟ ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନା ଚକ୍ରରେ ଦେଶ ଗଠନରେ ଜନସାଧାରଣ ସହଭାଗୀ ହୁଅନ୍ତୁ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ. ଶ୍ରୀକର ମିଶ୍ର ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଆକାଶବାଣୀର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ କବି ଭାଗୀରଥି ମିଶ୍ର ମଂଚାସୀନ ଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ତଥା ଯୁବ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଏବଂ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ କରୋନାରେ ପ୍ରାଣ ହରାଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଅତିଥି ପରିଚୟ ପ୍ରଦାନ କରିଥିଲେ କୋଶଳ ପ୍ରବାହର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର । ବର୍ତ୍ତମାନ ସମୟରେ ଗଣମାଧ୍ୟମର ବିଶେଷ ଭୂମିକା ରହିଥିବା ବେଳେ ଏଥିପ୍ରତି ସାମ୍ବାଦିକମାନେ ସଚେତନ ହେବା ଉଚିତ ବୋଲି ସମ୍ମାନିତ ଅତିଥି ଯୁବ ବିଜେଡ଼ି ନେତା ଶ୍ରୀ ବେହେରା ମତ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଯୁବ ବିଜେପି ନେତା ଶ୍ରୀ ପାଣିଗ୍ରାହୀ ଏକ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଗୁରୁଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମିଶ୍ର ସାଂପ୍ରତିକ ସମୟରେ ଗଣମାଧ୍ୟମ ଉପରେ ବିଭିନ୍ନ ଶକ୍ତିର ଆକ୍ରମଣାତ୍ମକ ପ୍ରଭାବ ରହିଥିବା ବେଳେ ଦେଶ ଓ ଜାତିର ଉଦ୍ଧାର ପାଇଁ ଜନସାଧାରଣ ସଚେତନ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଡ. ମିଶ୍ର ଜନସାଧାରଣଙ୍କ ସମସ୍ତ ପ୍ରକାର ସହଯୋଗ ଗଣମାଧ୍ୟମକୁ ଆହୁରି ପ୍ରଖର ଓ ଜନାଭିମୁଖୀ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ୨୨ତମ ଜନ୍ମ ଉତ୍ସବ ଅବସରରେ ଚଳିତ ବର୍ଷ ବିଶିଷ୍ଟ ଶିକ୍ଷାବିଦ୍‌ ଡ. ଶିବପ୍ରସାଦ ବେହେରାଙ୍କୁ ‘କୋଶଳ ପ୍ରବାହ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କୁ ‘ଛନ୍ଦାଚରଣ ସ୍ମୃତି ସମ୍ମାନ’ ଓ କବି ପୁସ୍ତମ ଯୁଆଡ଼ିଙ୍କୁ ‘କବି ଚତୁର୍ଭୁଜ ସାଆନ୍ତ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ସେହିପରି ବିଶିଷ୍ଟ ଚିକିତ୍ସକ ଡ.ରାମଚନ୍ଦ୍ର ହୋତା, ଟ୍ୟାକ୍ସ ଆଡ୍‌ଭୋକେଟ୍‌ ମାନସ ରଂଜନ ବହିଦାର, ଦଣ୍ଡଗୁରୁ କହ୍ନେଇ ବାଗ, କଣ୍ଠଶିଳ୍ପୀ ନବୀନ କୁଅଁର, ନୃତ୍ୟଶିଳ୍ପୀ ସୁଚିସ୍ମିତା ଷଡ଼ଙ୍ଗୀ ଓ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀଙ୍କୁ ‘ମାଟିର ଗୌରବ ସମ୍ମାନ’ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ୨୨ତମ ଜନ୍ମ ଉତ୍ସବ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଓଏଭି ପଥରଚେପାର ଓମ୍‌ ଅମୃତ ମହାନ୍ତି ପ୍ରଥମ, ଅଂଜନେୟ କର ଦ୍ୱିତୀୟ ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର କୁମାରୀ ବିନ୍ଦିଆ ମିଶ୍ର ତୃତୀୟ ସ୍ଥାନ ହାସଲ୍‌ କରିଥିଲେ । ସେହିପରି ବରିଷ୍ଠ ବର୍ଗରେ ସିଏନ୍‌ସି କଲେଜର ନିକି ଶର୍ମା ପ୍ରଥମ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିତିଶ ପଧାନ ଦ୍ୱିତୀୟ ଓ ସୋନପୁର ମହାବିଦ୍ୟାଳୟର ସୁଚରିତା ଥନାପତି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସମସ୍ତ ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ‘କୋଶଳ ପ୍ରବାହ’ ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.