ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ୧୪ ନଭେମ୍ବର ୨୦୨୫ ଶୁକ୍ରବାର ଦିନ ଶିଶୁ ଦିବସ ପାଳନ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପବିତ୍ର ଦିବସରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତ ଯୋଗଦେଇ ନେହେରୁଙ୍କ ବିଷୟରେ ଅନେକ ଅଜଣା କଥା କହି ପିଲାଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁ ନିଜ ସମ୍ଭାଷଣରେ କହିଥିଲେ କି ” ଆଜିର ଶିଶୁ କାଲିର ନାଗରିକ” ଏହାର ମର୍ମକୁ ଉପଲବ୍ଧି କରି ସମାଜର ଜଣେ ସୁନାଗରିକ ହୋଇ ସୁସ୍ଥ ସମାଜ ଗଠନରେ ନିଜକୁ ସାମିଲ କରିବାପାଇଁ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କୁ ଭବିଷ୍ୟତରେ କିଭଳି ମଣିଷ ପରି ମଣିଷଟିଏ ହୋଇ ସମସ୍ତଙ୍କ ପାଇଁ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପରି ଆଦର୍ଶ ହୋଇପାରିବେ ସେ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ପିଲାଙ୍କ ଦ୍ୱାରା ଏକ “ଖାଦ୍ୟ ବଜାର”ର ଆସରକୁ ଅତିଥିଙ୍କ କରକମଳରେ ଶୁଭ ଉଦଘାଟନ କରାଯାଇଥିଲା । ସମସ୍ତ ୫୦ପ୍ରକାର ବ୍ୟଞ୍ଜନଗୁଡ଼ିକୁ ବିଚାରକ ଭାବରେ ଦିଲ୍ଲୀପ କୁମାର ପସାୟତ, ରିଙ୍କି ହରିପାଲ, କିଶୋର ଚନ୍ଦ୍ର ମୁଦୁଲି, ଆଲୋକ କୁମାର ଦାସ, ଅରବିନ୍ଦ ବନଛୋର ପ୍ରମୁଖ ଖାଦ୍ୟର ମାନ ଯାଞ୍ଚ କରି ସେସବୁକୁ ମୂଲ୍ୟାୟନ କରି ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପିତାମ୍ବର ବେଶ୍ରା, ପ୍ରଭାସ ରଞ୍ଜନ ମେହେର, ସୁନୀଲ କୁମାର ନାୟକ, ହିମାଂଶୁ ଭୋଇ, ରାଜୀବ କୁମାର ପଟେଲ, ରୋଶନ କୁମାର ମିଶ୍ର, ସ୍ୱରୂପ କୁମାର ଠାକୁର, ବିଘ୍ନରାଜ ବାରିକ, ଅଜିତ ମହାକୁର, ଶଙ୍କର ରାଉତ, ସୁବ୍ରତ କୁମାର ବଗର୍ତି, ଆକାଶ କୁମାର ହରିପାଲ, ସୁନନ୍ଦ ପଧାନ, ଡୋଳାମଣି ବାଗ, ଦିବ୍ୟ ବାରିକ ଓ ବାବୁଲାଲ ଠାକୁର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଆ ଶିକ୍ଷକ ଶଙ୍କର ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ଇଂରାଜୀ ଶିକ୍ଷକ ଅରବିନ୍ଦ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।