om academy

ଗାନ୍ଧୀ ଜୟନ୍ତୀରେ ବେରବୋଇ ଗାନ୍ଧୀ ସ୍ମୃତିପୀଠ ପ୍ରବଳ ଜନ ସମାଗମ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଐତିହାସିକ ବେରବୋଇ ଗାନ୍ଧୀ ସ୍ମୃତିପୀଠ ସୋମବାର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବେରବୋଇ ଗାନ୍ଧୀ ସ୍ମୃତି ପୀଠ ସୋମବାର ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ଗାନ୍ଧୀ ସ୍ମାରକୀ ସମିତି ଓ କସ୍ତୁରବା ଗ୍ରାମ ସେବା କେନ୍ଦ୍ର, ବେରବୋଇର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସୂତ୍ରମାଳ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଧୂପ, ଦୀପ ଜାଳି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସଭାରେ କସ୍ତୁରବା ଗ୍ରାମସେବା କେନ୍ଦ୍ରର ସଂଚାଳିକା କବିତାରାଣୀ ପରିଡା ଗାନ୍ଧୀ ଭଜନ ଓ ରାମଧୂନ୍ ଆବୃତ୍ତି କରିଥିବା ବେଳେ ସମବେତ ରାମଧୂନ୍ ଗାନରେ ସମଗ୍ର ଗାନ୍ଧୀପୀଠ ପରିବେଶ ଗାନ୍ଧୀମୟ ହୋଇ ଉଠିଥିଲା । ଏଥିରେ ସ୍ମାରକୀ ସମିତିର ସଭାପତି କୁନ୍ତଳା ବିଶ୍ୱାଳ, ଭାଗିରଥି ପରିଡା, ସର୍ବେଶ୍ୱର ବରେଇ, ଅମରେନ୍ଦ୍ର କୁମାର ବାରିକ, ଅଭୟ କୁମାର ସାହୁ, ଅନାମ ମଲ୍ଲିକ, ଶିଶୁ ସାହିତ୍ୟିକ ଡ଼ ହେମନ୍ତ ଛୋଟରାୟ ଓ ଭୀମସେନ ମହାପାତ୍ରଙ୍କ ସମେତ ବାଲବାଡିର କୁନିକୁନି ପିଲାମାନେ ଯୋଗ ଦେଇଥିବା ବେଳେ ସ୍ମାରକୀ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେହିପରି ଗାନ୍ଧୀ ଜୟନ୍ତୀ ଅବସରରେ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମଞ୍ଚର ଆବାହକ ସମାଜସେବୀ ରାଧାମୋହନ ଓ ମୁଖ୍ୟ ଉପଦେଷ୍ଟା ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ଦେବାଶିଷ ଦୀକ୍ଷିତ, ରାଜେନ୍ଦ୍ର ସ୍ୱାଇଁ ଓ ବିଚିତ୍ରାନନ୍ଦ ରାଉତ ପ୍ରମୁଖ ଗାନ୍ଧୀ ପୀଠରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ଗହଣରେ ଗାନ୍ଧୀପୀଠରେ ପହଞ୍ଚି ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଅନେକ ଗାନ୍ଧୀପ୍ରେମୀ ଓ ବୁଦ୍ଧିଜୀବୀମାନେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.